ରତନ ଟାଟାଙ୍କ ପରଲୋକ: ଭାରତୀୟ ଶିଳ୍ପ ଜଗତରେ ଶୋକର ଛାୟା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 10 October 2024

ରତନ ଟାଟାଙ୍କ ପରଲୋକ: ଭାରତୀୟ ଶିଳ୍ପ ଜଗତରେ ଶୋକର ଛାୟା

Ratan Tata is no more


ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ତଥା ଭାରତୀୟ ଶିଳ୍ପ ଜଗତର କିମ୍ବନ୍ଦନ୍ତୀ ରତନ ଟାଟାଙ୍କ ପରଲୋକ । ମୁମ୍ବାଇର ଏକ ହସ୍ପିଟାଲରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ନିଶ୍ଚୟ । ଅଧିକ ବୟସ ଯୋଗୁଁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ରେ ରଖାଯାଇଥିଲା ।


ଭାରତୀୟ ଉଦ୍ୟୋଗକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ ଓ କରିବାରେ ତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ ମସିହାରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ସେ ଥିଲେ ଜଣେ ଅତି ପରିଚିତ ଶିଳ୍ପପତି । ଦୁନିଆର ବଡ଼ ବଡ଼ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ଅନେକ ଜଣାଶୁଣା ନେତାମାନେ ତାଙ୍କୁ ସମ୍ମାନ କରନ୍ତି ଏବଂ ତାଙ୍କ କାମରେ ସବୁବେଳେ ପ୍ରୋତ୍ସାହିତ ହୋଇଛନ୍ତି । ତାଙ୍କୁ ଅର୍ଡ଼ର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ । ୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।


ସେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କର ନାତି ଅଟନ୍ତି । ତାଙ୍କୁ ମାତ୍ର ସାତ ବର୍ଷ ଓ ତାଙ୍କ ସାନଭାଇ ଜିମିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ୧୯୪୦ ଦଶକର ମଧ୍ୟଭାଗରେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିବାରୁ, ତାଙ୍କ ବାଲ୍ୟଜୀବନ କଷ୍ଟମୟ ଥିଲା । ମାଆ ଛାଡ଼ି ଚାଲିଯିବାପରେ ଦୁଇଭାଇଙ୍କର ପ୍ରତିପାଳନ ଜେଜେମା ନଭଜବାଇଙ୍କ ଦ୍ୱାରା ହୋଇଥିଲା ।


ସେ ନିଜର ସ୍କୁଲ ଶିକ୍ଷା ମୁମ୍ବାଇର କାମ୍ପିଅନ ସ୍କୁଲରୁ ଆରମ୍ଭ କରି କ୍ୟାଥେଡ୍ରାଲ ଏଣ୍ଡ ଜନ କନ୍ନନ ସ୍କୁଲରେ ସମାପ୍ତ କରିଥିଲେ । ୧୯୬୨ ମସିହାରେ ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୧୯୭୫ରେ ହାୱାର୍ଡ଼ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ହାସଲ କରିଥିଲେ । ଏହା ବ୍ୟତୀତ ସେ ଆଲଫା ସିଗ୍‌ମା ଫାଇ (ୟାଲେଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ୧୦ଟି ସର୍ବପୂରାତନ ସାମାଜିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ)ର ଅଂଶ ଥିଲେ ।


୧୯୬୨ ମସିହାରେ, ଭାରତ ଫେରିବା ପରେ ଆଇ.ବି.ଏମ. ତରଫରୁ ଏକ ଚାକିରୀ ଅଗ୍ରାହ୍ୟ କରି ଜେ.ଆର୍.ଡି. ଟାଟାଙ୍କ ପ୍ରସ୍ତାବ କ୍ରମେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲ୍‌ର ଫ୍ଲୋର୍ ସପ୍‌ରେ ଅନ୍ୟ ଦୈନିକ ମଜୁରିଆଙ୍କ ସହ ମିଶି ଚୂନପଥର ଭାଙ୍ଗିବା ଠାରୁ ଆରମ୍ଭ କରି, ବ୍ଲାଷ୍ଟ ଫର୍ଣ୍ଣେସ୍ ସମ୍ଭାଳିବା ପର୍ଯ୍ୟନ୍ତ କାମ କରିଥିଲେ । ୧୯୭୧ ମସିହାରେ, ସେ ନ୍ୟାସନାଲ ରେଡ଼ିଓ ଏଣ୍ଡ ଇଲେକ୍ଟ୍ରୋନିକ୍ନ (ନାଲ୍‌କୋ)ର ଅଧ୍ୟକ୍ଷ ରୂପେ ଯୋଗ ଦେଲେ, ସେତେବେଳେ କମ୍ପାନୀ ଶୋଚନୀୟ ଭାବେ ୪୦% କ୍ଷତିରେ ଚାଲିଥିଲା ଓ ବଜାରର ମାତ୍ର ୨% ଅଂଶ ଅଧିକାର କରିଥିଲା । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ଏହା ୨% ରୁ ୨୫%କୁ ବୃଦ୍ଧି ପାଇଥିଲା କିନ୍ତୁ ୧୯୭୭ ମସିହାର ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ବଳ ଅର୍ଥନୈତିକ ନିତୀ ତଥା ଶ୍ରମିକ ଅସୁବିଧା ପାଇଁ ନାଲ୍‌କୋ ଶେଷରେ ପୂର୍ବାବସ୍ଥାକୁ ଫେରିଗଲା ।


ପୁଣି ୧୯୭୭ ମସିହାରେ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ଏମ୍ପ୍ରେସ୍ ମିଲ୍ ସମ୍ଭାଳିବାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସଫଳତାର ସହ କାର୍ଯ୍ୟ ପରିଚାଳନା କରିଥିଲେ । ସମସାମୟିକ ବଜାରରେ ପ୍ରତିଯୋଗିତା ଭିତ୍ତିକ କରାଇବାକୁ ୫୦ ଲକ୍ଷ ଟଙ୍କାର ଅଭାବ ଫଳରେ ଏହା ୧୯୮୬ ମସିହାରେ ବନ୍ଦ ହୋଇଯାଇଥିଲା ।


୧୯୮୧ ମସିହାରେ, ଜେ.ଆର.ଡି. ଟାଟା ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ପଦରୁ ଅବସର ଗ୍ରହଣ କରି ରତନ ଟାଟାଙ୍କୁ ପରବର୍ତ୍ତୀ ମୁଖ୍ୟ ନିମନ୍ତେ ମନୋନୀତ କରିଥିଲେ । ବିନା ଅଭିଜ୍ଞତାରେ ଟାଟା ଭଳି ଏକ ବିଶାଳ ସଂସ୍ଥାର କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ ।


୧୯୯୧ ମସିହାରେ, ସେ ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର, ଲ୍ୟାଣ୍ଡ୍ ରୋଭର୍, କୋରସ୍ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା ଏବଂ ଟାଟା ବିଶ୍ୱ-ସ୍ତରୀୟ କମ୍ପାନୀର ମାନ୍ୟତା ଲାଭ କରିଥିଲା (ସମସ୍ତ ଆୟର ପ୍ରାୟ ୬୫% ବୈଦେଶିକ ପୁଞ୍ଜି) । ତାଙ୍କ ସମୟରେ ମଧ୍ୟ ଇଣ୍ଡିକା ତଥା ନାନୋ ଭଳି ଦୁଇଟି ଜନପ୍ରିୟ କାରର ବିକାଶ ତଥା ପ୍ରଗତି ହୋଇପାରିଥିଲା । ୧୯୯୦ ପରେ ଦେଖାଯାଇଥିବା ଅର୍ଥନୈତିକ ସ୍ୱାଚ୍ଛନ୍ଦତା ପାଇଁ ଟାଟା ଗ୍ରୁପ୍ ଅଫ୍ କମ୍ପାନିଜ୍‌ର ସମସ୍ତ ସଫଳତାର ଶ୍ରେୟ ରତନ ଟାଟାଙ୍କୁ ଦିଆଯାଏ ।


ଅଗଷ୍ଟ ୨୦୦୭ରେ, ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍‌ର ବ୍ରିଟିଶ ଷ୍ଟିଲ କମ୍ପାନୀ କୋରସ୍‌ର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା । ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ୍ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା ।


ନିକଟରେ, ଜେ.ଆର.ଡି. ଟାଟାଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ଏୟାର୍ ଇଣ୍ଡିଆ ମଧ୍ୟ ଟାଟା ଗ୍ରୁପ୍‌କୁ ଫେରିଥିଲା । ଏହି ଅଧିଗ୍ରହଣ ପରେ, ରତନ ଟାଟା ସବୁଠାରୁ ଅଧିକ ଖୁସି ହୋଇଥିଲେ ଏବଂ ସେ ଏହାକୁ ସୋସିଆଲ୍ ମିଡ଼ିଆରେ ମଧ୍ୟ ସେୟାର୍ କରିଥିଲେ ।

Post Bottom Ad