- ଅଭିନବ କୋବାଲ୍ଟ-ମୁକ୍ତ କ୍ୟାଥୋଡ୍ ଲିଥିୟମ୍-ଆୟନ ଗତିବିଧିରେ ଉନ୍ନତି ଆଣିଥାଏ, ଉତ୍ତମ ସ୍ଥିରତା, ଉଚ୍ଚ କ୍ଷମତା ଧାରଣ ଓ ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ପ୍ରଦାନ କରିଥାଏ – ଏହା ବୈଦ୍ୟୁତିକ ଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
- ଏହି ସଫଳତା ଭାରତକୁ ସ୍ଥାୟୀ, ସୁଲଭ ଲିଥିୟମ-ଆୟନ ବ୍ୟାଟେରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିପାରିବ ଏବଂ ବୈଦ୍ୟୁତିକ ଯାନ ଓ ନବୀକରଣଯୋଗ୍ୟ ଶକ୍ତି ଜ୍ଞାନକୌଶଳ ଗ୍ରହଣକୁ ତ୍ୱରାନ୍ୱିତ କରିପାରିବ ।
ରାଉରକେଲା (୧୭ ଜାନୁଆରୀ ୨୦୨୫): ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲାର (ଏନ୍ଆଇଟି ରାଉରକେଲା) ଗବେଷକମାନେ ଲିଥିୟମ୍-ଆୟନ ବ୍ୟାଟେରୀ ପାଇଁ ଏକ ନୂତନ ଶ୍ରେଣୀର କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟ ଭିତ୍ତିକ ଡିଜାଇନ୍ର ଏକ ଆଶାଜନକ ବିକଳ୍ପ ଉପସ୍ଥାପନ କରିଛି । ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଏକ ପ୍ରମୁଖ ଉପାଦାନ କୋବାଲ୍ଟର ଉଚ୍ଚ ମୂଲ୍ୟ, ଅଭାବ ଓ ପରିବେଶଗତ ଚିନ୍ତା ସହିତ ଜଡ଼ିତ ଆହ୍ୱାନର ଏହି ଉଦ୍ଭାବନ ସମାଧାନ କରିବ ।
ସେରାମିକ୍ ଇଞ୍ଜିନିୟରିଂର ଆସୋସିଏଟ୍ ପ୍ରଫେସର ଡ. ପାର୍ଥ ସାହାଙ୍କ ନେତୃତ୍ୱରେ ଗବେଷକ ଦଳରେ ଥିବା ପ୍ରଫେସର ସଂଜୟ ଦତ୍ତ (ଆସୋସିଏଟ୍ ପ୍ରଫେସର), ଡ. ସୌମ୍ୟଶ୍ରୀ ଜେନା (ରିସର୍ଚ୍ଚ ଗ୍ରାଜୁଏଟ୍) ଓ ଅଭିଷେକ କୁମାର (ରିସର୍ଚ୍ଚ ସ୍କଲାର) ମ୍ୟାଗ୍ନେସିୟମ୍ ଓ ନିକେଲ ବ୍ୟବହାର କରି କୋବାଲ୍ଟ ମୁକ୍ତ କ୍ୟାଥୋଡ୍ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଏହି ପଦାର୍ଥଗୁଡ଼ିକ ଲିଥିୟମ୍-ଆୟନର ଗତିକୁ ବଢ଼ାଇଥାଏ, ଯାହା ଫଳରେ ବ୍ୟାଟେରୀର କାର୍ଯ୍ୟଦକ୍ଷତାରେ ଉନ୍ନତି, ଅଧିକ ସ୍ଥିରତା, ଅଧିକ କ୍ଷମତା ଧାରଣ ଓ ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ହୋଇଥାଏ
ସ୍ମାର୍ଟଫୋନ୍, ଲାପଟପ୍ ଓ ଇଲେକ୍ଟ୍ରିକ୍ ଯାନ (ଇଭି) ଭଳି ଉପକରଣଗୁଡ଼ିକୁ ଶକ୍ତି ପ୍ରଦାନ କରୁଥିବା ଲିଥିୟମ୍-ଆୟନ ବ୍ୟାଟେରୀ ମୁଖ୍ୟତଃ କୋବାଲ୍ଟ-ଭିତ୍ତିକ କ୍ୟାଥୋଡ୍ ବ୍ୟବହାର କରିଥାଏ । କିନ୍ତୁ କୋବାଲ୍ଟ ବ୍ୟବହାର କରିବାରେ ମଧ୍ୟ ଏକ ବଡ଼ ଆହ୍ୱାନ ରହିଛି ଯେପରିକି ଏହାର ଉଚ୍ଚ ଦର ଓ ମୂଲ୍ୟ ଅସ୍ଥିରତା ତଥା କ୍ୟୁବା, ମାଡାଗାସ୍କର ଓ ପାପୁଆ ନ୍ୟୁ ଗିନୀ ଭଳି ହାତଗଣତି ଦେଶରେ ଏବଂ ତାହା ମଧ୍ୟ ଅଳ୍ପ ପରିମାଣରେ ଉପଲବ୍ଧ ହେବା । ଏହାର ଖନନ ସହ ପରିବେଶ ଓ ନୈତିକ ସମସ୍ୟା ମଧ୍ୟ ଜଡ଼ିତ । ଇଭି ଓ ଲିଥିୟମ୍ ଆୟନ ବ୍ୟାଟେରୀର ଚାହିଦା ବଢ଼ୁଥିବାରୁ ଏହି ସମସ୍ୟା ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ବିଶ୍ୱବ୍ୟାପୀ କୋବାଲ୍ଟ ଯୋଗାଣକୁ ନେଇ ଆକଳନ କରାଯାଇଛି ଯେ ଏହାର ବଢ଼ୁଥିବା ଚାହିଦା ୨୦୫୦ ପର୍ଯ୍ୟନ୍ତ ପୂରଣ ହେବ ନାହିଁ । ଏଭଳି ପରିସ୍ଥିତିରେ କୋବାଲ୍ଟର ବିକଳ୍ପ ଭାବରେ ଅନ୍ୟାନ୍ୟ ସାମଗ୍ରୀ ବିକଶିତ କରିବାର ଆବଶ୍ୟକତା ରହିଛି ।
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ । ଏହା ପାଇଁ ପେଟେଣ୍ଟ ମିଳିବା (ପେଟେଣ୍ଟ ସଂଖ୍ୟା 554274, ଆବେଦନ ସଂଖ୍ୟା 202431014198) ଦର୍ଶାଏ ଯେ ମ୍ୟାଗ୍ନେସିୟମ କାର୍ଯ୍ୟଦକ୍ଷତା ହ୍ରାସ ନକରି କ୍ୟାଥୋଡ୍ ଢାଞ୍ଚାରେ କୋବାଲ୍ଟକୁ ଦକ୍ଷତାର ସହ ପ୍ରତିସ୍ଥାପନ କରିପାରେ ।
ମ୍ୟାଗ୍ନେସିୟମର ଅନେକ ଲାଭ ରହିଛି, ଯେପରିକି ଏହା ଶସ୍ତା ଏବଂ ଭାରତରେ ପ୍ରଚୁର ରୂପରେ ଓ ବହୁଳ ମାତ୍ରାରେ ଉପଲବ୍ଧ । ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ଏହାର ବିପୁଳ ସଂରକ୍ଷଣ ରହିଛି । ଏହା ବ୍ୟତୀତ, ମ୍ୟାଗ୍ନେସିୟମ ପରିବେଶ ଦୃଷ୍ଟିରୁ ସୁରକ୍ଷିତ । ପରିବେଶ ଉପରେ ବ୍ୟାଟେରୀ ଉତ୍ପାଦନର ପ୍ରଭାବ ମଧ୍ୟ କମ ରହିବ ।
ଗବେଷକ ଦଳ ଦ୍ୱାରା ବିକଶିତ କୋବାଲ୍ଟ ମୁକ୍ତ କ୍ୟାଥୋଡ଼ର ଅନେକ ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି । ମ୍ୟାଗ୍ନେସିୟମ ଆୟନ ଢାଞ୍ଚାଗତ ସ୍ଥିରତା ବଢ଼ାଇବ । ଏହା ଦ୍ୱାରା ଆୟନ ମିଶ୍ରଣ ଭଳି ସମସ୍ୟାର ସଫଳ ସମାଧାନ ହୋଇପାରିବ, ଯାହା ପ୍ରାୟତଃ କୋବାଲ୍ଟ-ଭିତ୍ତିକ କ୍ୟାଥୋଡ଼କୁ ଖରାପ କରିଥାଏ । ଫଳରେ ପ୍ରଦର୍ଶନରେ ଉନ୍ନତି ଆସିବ । ନୂଆ କ୍ୟାଥୋଡ଼ ୧୦୦ ଚାର୍ଜ-ଡିସଚାର୍ଜ ଚକ୍ର ପରେ ମଧ୍ୟ ଏହାର ମୂଳ କ୍ଷମତାର ୭୪.୩ ପ୍ରତିଶତ ବଜାୟ ରଖିବାରେ ସକ୍ଷମ ହେବ । ସାଧାରଣ ଡିଜାଇନ୍ ତୁଳନାରେ ଏହା ଏକ ବଡ଼ ଉପଲବ୍ଧି ଅଟେ। ମ୍ୟାଗ୍ନେସିୟମର ବ୍ୟବହାରର ଏକ ପ୍ରମୁଖ ଲାଭ ହେଉଛି ଉତ୍ପାଦନ ଖର୍ଚ୍ଚ ହ୍ରାସ, ଲିଥିୟମ-ଆୟନ ବ୍ୟାଟେରୀକୁ ଅଧିକ ସୁଲଭ ଓ ଉପଲବ୍ଧ କରାଇବା ।
ଏହି ଗବେଷଣା ସମ୍ପର୍କରେ ସୂଚନା ଦେଇ ଡ. ପାର୍ଥ ସାହା କହିଛନ୍ତି, "ଆମର ଗବେଷଣାରୁ ଜଣାପଡ଼ିଛି ଯେ ୧୦୦ ଚାର୍ଜ-ଡିସ୍ଚାର୍ଜ ଚକ୍ର ପରେ ନୂତନ କ୍ୟାଥୋଡ଼ ଏହାର ମୂଳ କ୍ଷମତାର ୭୪.୩% ବଜାୟ ରଖେ, ଯାହା ପାରମ୍ପରିକ କୋବାଲ୍ଟ-ଭିତ୍ତିକ କ୍ୟାଥୋଡ଼ରେ ଦେଖାଯାଇଥିବା ଦ୍ରୁତ କ୍ଷମତା ହ୍ରାସ ତୁଳନାରେ ଏକ ଉଲ୍ଲେଖନୀୟ ଉନ୍ନତି । ଏହାବ୍ୟତୀତ, ନୂତନ କ୍ୟାଥୋଡ଼ ଲିଥିୟମ୍ ସାଇଟ୍ ଗୁଡ଼ିକରେ ନିକେଲର କ୍ୟାଟାନିକ୍ ବିକାର ହ୍ରାସ କରିଥାଏ - ପାରମ୍ପରିକ ଏନ୍ଏମ୍ସି-ଭିତ୍ତିକ କ୍ୟାଥୋଡ଼ରେ ଏହା ଏକ ସାଧାରଣ ସମସ୍ୟା ଯାହା କ୍ଷମତା ଓ ଭୋଲ୍ଟେଜ୍କୁ ହ୍ରାସ କରିଥାଏ ।
ଏହି ଉଦ୍ଭାବନର ଅନେକ ସୁଦୂରପ୍ରସାରୀ ଲାଭ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ରହିବ । ଯଦି କମ୍ ଖର୍ଚ୍ଚରେ ଇଲେକ୍ଟ୍ରିକ୍ ଯାନ ପାଇଁ ଉନ୍ନତ କାର୍ଯ୍ୟଦକ୍ଷତା ବ୍ୟାଟେରୀ ତିଆରି କରିବାର ଉପାୟ ଅଛି, ତେବେ ଆମ ଦେଶର ଇଭି ଶିଳ୍ପ ବିକଶିତ ହେବ । ଏଥିସହ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତର ଲକ୍ଷ୍ୟ ପୂରଣ କରିବା ସହଜ ହେବ । ଶସ୍ତା ଶକ୍ତି ସଂରକ୍ଷଣ ଦ୍ୱାରା ନିରନ୍ତର ବିକାଶ ସୁଦୃଢ଼ ହେବ । ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତର ଲକ୍ଷ୍ୟ ପୂରଣ କରିବା ସହଜ ହେବ । ଏହି ଉଦ୍ଭାବନ ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଭାରତ ବ୍ୟାଟେରୀ ଉତ୍ପାଦନରେ ଅଧିକ ଆତ୍ମନିର୍ଭରଶୀଳ ହେବ । ବିଶ୍ୱର ଶକ୍ତି ବଜାରରେ ଦେଶ ଆଧିପତ୍ୟ ବଜାୟ ରଖିବ ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନାନୋମିଶନ କାର୍ଯ୍ୟକ୍ରମ ଓ ଏନ୍ଆଇଟି ରାଉରକେଲାର ପଦାର୍ଥ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଏହି ଗବେଷଣା ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା ।
କୋବାଲ୍ଟ ମୁକ୍ତ କ୍ୟାଥୋଡ଼ ବିକଶିତ କରିବାର ଏହି ଅଗ୍ରଣୀ କାର୍ଯ୍ୟ ହାତକୁ ନେଇ ସ୍ଥାୟୀ, ସୁଲଭ ଓ ଅଧିକ ସକ୍ଷମ ଲିଥିୟମ୍ ଆୟନ ବ୍ୟାଟେରୀ ତିଆରି କରିବା ଦିଗରେ ଏନ୍ଆଇଟି ରାଉରକେଲା ଏକ ବଡ଼ ପଦକ୍ଷେପ ନେଇଛି । ଏହି ଉଦ୍ଭାବନ କେବଳ ବିଭିନ୍ନ ଶିଳ୍ପ ଓ ଉପଭୋକ୍ତାଙ୍କୁ ଉପକୃତ କରିବ ନାହିଁ ବରଂ ଏକ ସ୍ୱଚ୍ଛ ଓ ଅଧିକ ଉର୍ଜା-ସକ୍ଷମ ଭବିଷ୍ୟତର ଭାରତର ସ୍ୱପ୍ନକୁ ସାକାର କରିବାରେ ମଧ୍ୟ ସହାୟକ ହେବ । ଏହି ଗବେଷଣା ଭାରତ ସରକାରଙ୍କ ଇଲେକ୍ଟ୍ରିକ୍ ଯାନ (ଇଭି) ଅଭିଯାନ ଅନୁଯାୟୀ କରାଯାଇଛି, ଯାହା ଭାରତରେ ଇଭି ପ୍ରବେଶ ବୃଦ୍ଧି ପାଇଁ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରେ । ଏହାବ୍ୟତୀତ 'ମେକ୍ ଇନ୍ ଇଣ୍ଡିଆ' ଓ 'ଆତ୍ମନିର୍ଭର ଭାରତ' ଭଳି ପଦକ୍ଷେପ ଅଧୀନରେ ସ୍ୱଦେଶୀ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ଯାହା ଦ୍ୱାରା ଇଭି କ୍ଷେତ୍ରରେ ଦେଶକୁ ଆତ୍ମ ନିର୍ଭରଶୀଳ ଓ ସ୍ଥାୟୀ କରିବାର ପ୍ରୟାସ ତ୍ୱରାନ୍ୱିତ ହୋଇପାରିବ ।