ବିକଶିତ ଏଆଇ-ଆଧାରିତ ଯାନ ଚିହ୍ନଟ ମଡେଲ୍ ଓ ଟୁଲ୍ ଟ୍ରାଫିକ୍ ପରିଚାଳନାରେ ଅଧିକ ସଠିକତା ଦେଖାଇଛି, ପ୍ରଚଳିତ ପଦ୍ଧତିଗୁଡ଼ିକୁ ଅତିକ୍ରମ କରିଛି
ରାଉରକେଲା (୨୪ ଜାନୁଆରୀ ୨୦୨୫): ବିକାଶଶୀଳ ଦେଶମାନଙ୍କରେ ଟ୍ରାଫିକ୍ ପରିଚାଳନାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା (ଏନ୍ଆଇଟି ରାଉରକେଲା)ର ଗବେଷକମାନେ ଏଆଇ ଆଧାରିତ ମଲ୍ଟି-କ୍ଲାସ୍ ଭେଇକିଲ୍ ଡିଟେକ୍ସନ୍ (ଏମ୍ସିଭିଡି) ମଡେଲ୍ ଓ ଲାଇଟ୍ ଫ୍ୟୁଜନ୍ ବାଇ-ଡାଇରେକ୍ସନାଲ୍ ଫିଚର୍ ପିରାମିଡ଼୍ ନେଟୱାର୍କ (ଏଲ୍ଏଫ୍ଏଫ୍ପିଏନ୍) ଟୁଲ୍ ବିକଶିତ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର୍ ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ଗବେଷକ ଦଳ ଏକ ଇଣ୍ଟେଲିଜେଣ୍ଟ ଭେଇକିଲ୍ ଡିଟେକ୍ସନ୍ (ଆଇଭିଡି) ସିଷ୍ଟମ୍ର ଉପଯୋଗ କରିଛନ୍ତି, ଯେଉଁଥିରେ କମ୍ପ୍ୟୁଟର ଭିଜନ ବ୍ୟବହାର କରି ଫଟୋ ଓ ଭିଡିଓରେ ଗାଡ଼ି ଚିହ୍ନଟ କରାଯାଇଛି । ଟ୍ରାଫିକ୍ ପ୍ରବାହକୁ ଅପ୍ଟିମାଇଜ୍ କରିବା, ଭିଡ଼ ହ୍ରାସ କରିବା ଓ ଭବିଷ୍ୟତର ସଡ଼କ ଯୋଜନାରେ ସାହାଯ୍ୟ କରିବା ପାଇଁ ଏହି ବ୍ୟବସ୍ଥା ରିୟଲ୍-ଟାଇମ୍ ଟ୍ରାଫିକ୍ ତଥ୍ୟ ସଂଗ୍ରହ କରେ ।
ଏହି ଗବେଷଣାର ଫଳାଫଳ ଡକ୍ଟର ସନ୍ତୋଷ କୁମାର ଦାସଙ୍କ ସହ ମିଳିତ ଭାବେ ଲିଖିତ ଏକ ଗବେଷଣାପତ୍ର ଆଇଇଇଇ ଟ୍ରାଞ୍ଜାକ୍ସନ ଅନ୍ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ସିଷ୍ଟମ୍ରେ ପ୍ରକାଶ ପାଇଛି, ଯେଉଁଥିରେ ତାଙ୍କ ଗବେଷକ ପ୍ରଶାନ୍ତ ଦେଶମୁଖ, କ୍ରିଷ୍ଣା ଚୈତନ୍ୟ ରାୟସମ ଏବଂ ଏନ୍ଆଇଟି ରାଉରକେଲାର ପ୍ରଫେସର ଉପେନ୍ଦ୍ର କୁମାର ସାହୁ ଓ ଆଇଆଇଏସ୍ସି ବାଙ୍ଗାଲୋରର ପ୍ରଫେସର ସୁଧନ ମାଝୀ ସାମିଲ ଅଛନ୍ତି ।
ସଂଗଠିତ ଟ୍ରାଫିକ୍ ଥିବା ବିକଶିତ ଦେଶଗୁଡ଼ିକରେ ଆଇଭିଡି ସିଷ୍ଟମ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ମିଶ୍ରିତ ଟ୍ରାଫିକ୍ ଥିବା ବିକାଶଶୀଳ ଦେଶମାନଙ୍କରେ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଭାରତ ଭଳି ଦେଶରେ କାର୍ ଓ ଟ୍ରକ୍ ଠାରୁ ଆରମ୍ଭ କରି ସାଇକେଲ୍, ରିକ୍ସା, ପଶୁଗାଡ଼ି ଓ ପଥଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯାନବାହନ ପ୍ରାୟତଃ ନିକଟରେ ଚଳାଚଳ କରିଥାଏ, ଯାହା ଫଳରେ ସଠିକ୍ ଗାଡ଼ି ଚିହ୍ନଟ କରିବା କଷ୍ଟକର ହୋଇପଡ଼େ ।
ପାରମ୍ପରିକ ଆଇଭିଡି ପଦ୍ଧତି, ଯେଉଁଥିରେ ରାଡ଼ାର ଓ ଲାଇଟ୍ ଡିଟେକ୍ସନ ଆଣ୍ଡ ରେଞ୍ଜିଂ (ଲିଡାର୍) ଭଳି ସେନ୍ସର୍ ସିଷ୍ଟମ୍ ଅନ୍ତର୍ଭୁକ୍ତ, ନିୟନ୍ତ୍ରିତ ପରିବେଶରେ ପ୍ରଭାବଶାଳୀ କିନ୍ତୁ ଧୂଳି କିମ୍ବା ବର୍ଷା ଭଳି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ସଂଘର୍ଷ କରେ । ଏହା ବ୍ୟତୀତ, ଏହି ସିଷ୍ଟମ୍ଗୁଡ଼ିକ ସଂସ୍ଥାପନ କରିବା ମହଙ୍ଗା ଅଟେ । ଭିଡିଓ-ଆଧାରିତ ପ୍ରଣାଳୀ, ବିଶେଷକରି ଭାରତ ପାଇଁ ଅଧିକ ପ୍ରତିଶ୍ରୁତି ବହନ କରେ, କିନ୍ତୁ ପାରମ୍ପରିକ ଭିଡିଓ ପ୍ରୋସେସିଂ କୌଶଳ ଦ୍ରୁତ ଗତିରେ ଗତି କରୁଥିବା ଟ୍ରାଫିକ୍ ସହିତ ସଂଘର୍ଷ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ଗଣନା ଶକ୍ତି ଆବଶ୍ୟକ କରେ ।
ଡିପ ଲର୍ଣ୍ଣିଂ (ଡିଏଲ୍) ମଡେଲ୍, ଏକ ପ୍ରକାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଯାହା ବର୍ତ୍ତମାନର ତଥ୍ୟରୁ ଶିଖିଥାଏ, ଭିଡିଓ ଫିଡ୍ରେ ଯାନଗୁଡ଼ିକ ଚିହ୍ନଟ କରିବା ପାଇଁ ଏକ ଦକ୍ଷ ଉପାୟ ପ୍ରଦାନ କରିଥାଏ । ଏହି ମଡେଲ୍ଗୁଡ଼ିକ ଟ୍ରାଫିକ୍ ଚିତ୍ରଗୁଡ଼ିକ ଚିହ୍ନଟ ଓ ବିଶ୍ଳେଷଣ କରିବା ପାଇଁ କନ୍ଭୋଲ୍ୟୁସନାଲ୍ ନ୍ୟୁରାଲ୍ ନେଟୱାର୍କ (ସିଏନ୍ଏନ୍) ବ୍ୟବହାର କରନ୍ତି । ତେବେ ବିଶେଷ କରି ବ୍ୟସ୍ତବହୁଳ, ମିଶ୍ରିତ ଟ୍ରାଫିକ୍ ପରିବେଶରେ ସେମାନେ ବିଭିନ୍ନ ଆକାର ଓ କୋଣର ଗାଡ଼ିଗୁଡ଼ିକୁ ସଠିକ୍ ଭାବେ ଚିହ୍ନଟ କରିବାରେ ବିଫଳ ହୁଅନ୍ତି । ଏହା ବ୍ୟତୀତ, ଏଭଳି ଜଟିଳ ପରିସ୍ଥିତି ପାଇଁ ଡିଜାଇନ୍ କରାଯାଇଥିବା ଲେବଲ୍ ଡାଟାସେଟ୍ର ଅଭାବ ରହିଛି ।
ଏହି ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରଫେସର ସନ୍ତୋଷ କୁମାର ଦାସ ଓ ତାଙ୍କ ଦଳ ନୂଆ ଏମ୍ସିଭିଡି ମଡେଲ୍ ବିକଶିତ କରିଛନ୍ତି, ଯାହା ଭିଡିଓ ଡିଇଣ୍ଟର୍ଲେସିଂ ନେଟୱାର୍କ (ଭିଡିନେଟ୍) ବ୍ୟବହାର କରି ଟ୍ରାଫିକ୍ ଫଟୋରୁ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଦକ୍ଷତାର ସହ ବାହାର କରିଥାଏ, ଏପରିକି ଯାନଗୁଡ଼ିକର ଆକାର ଓ ଆକୃତିରେ ଭିନ୍ନ ହୋଇଥିଲେ ମଧ୍ୟ ଏହା କାମ କାରୁଛି । ଉତ୍ତୋଳିତ ବିବରଣୀକୁ ଆହୁରି ସଂଶୋଧନ କରିବା ପାଇଁ ସେମାନେ ଲାଇଟ୍ ଫ୍ୟୁଜନ୍ ବାଇ-ଡାଇରେକ୍ସନାଲ୍ ଫିଚର୍ ପିରାମିଡ଼୍ ନେଟୱାର୍କ (ଏଲ୍ଏଫ୍ବିଏଫ୍ପିଏନ୍) ନାମକ ଏକ ସ୍ୱତନ୍ତ୍ର ଉପକରଣ ମଧ୍ୟ ପ୍ରଚଳନ କରିଥିଲେ ।
ଏନ୍ଆଇଟି ରାଉରକେଲାର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ସନ୍ତୋଷ କୁମାର ଦାସ ଏହି ମଡେଲ୍ର ଉଦ୍ଭାବନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଏଲ୍ଏଫ୍ଏଫ୍ପିଏନ୍ ସ୍ୱତନ୍ତ୍ର ଅଟେ, ଏହା ଏକ ସରଳ ପଦ୍ଧତି ବ୍ୟବହାର କରି ଏହାର ସଠିକତାକୁ ତ୍ୟାଗ ନକରି ମଡେଲ୍ର ଜଟିଳତାକୁ ହ୍ରାସ କରିଥାଏ । ଏହାପରେ ସିଷ୍ଟମ ମୋଡ଼ିଫାଏଡ୍ ଭେଇକିଲ୍ ଡିଟେକ୍ସନ୍ ହେଡ୍ (ଏମ୍ଭିଡିଏଚ୍) ନାମକ ଅନ୍ୟ ଏକ ଟୁଲ୍ ଜରିଆରେ ବିବରଣୀ ପ୍ରକ୍ରିୟା କରିଥାଏ, ଯାହା ଏହା ସମସ୍ତ ପ୍ରକାର ଟ୍ରାଫିକ୍ ପରିସ୍ଥିତିରେ ଯାନଗୁଡ଼ିକୁ ସଠିକ ଭାବରେ ଚିହ୍ନଟ ଓ ବର୍ଗୀକରଣ କରିବାରେ ସାହାଯ୍ୟ କରେ ।“
ଏମ୍ସିଭିଡି ମଡେଲ୍ ପ୍ରଚଳିତ ପଦ୍ଧତି ତୁଳନାରେ ଅଧିକ ସଠିକତା ଉନ୍ନତି ପ୍ରଦର୍ଶନ କରେ । ଏହି ଦଳ ଟ୍ରାଫିକ୍ ଲେବଲ୍ ଡାଟାସେଟ୍ (ଏଚ୍ଟିଏଲ୍ଡି) ବ୍ୟବହାର କରି ଏହି ମଡେଲ୍କୁ ପରୀକ୍ଷଣ କରିଥିଲେ, ଯେଉଁଥିରେ ଭାରତର ଅନେକ ସହରର ଡାଟା ଅନ୍ତର୍ଭୁକ୍ତ ଏବଂ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉପଲବ୍ଧ । ମଡେଲ୍ର ରିୟଲ୍-ଟାଇମ୍ ପ୍ରଦର୍ଶନକୁ ଏକ ଏଡ୍ଜ୍ କମ୍ପ୍ୟୁଟିଂ ଡିଭାଇସ୍ ଏନ୍ଭିଡିଆ ଜେଟ୍ସନ୍ ଟିଏକ୍ସ୨ ରେ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା, ଯେଉଁଠାରେ ଏହା ଚ୍ୟାଲେଞ୍ଜିଂ ପାଣିପାଗ ପରିସ୍ଥିତିରେ ଏବଂ କମ୍ ରିଜୋଲ୍ୟୁସନ୍ ଫଟୋ ସହିତ ମଧ୍ୟ ଦୃଢ଼ ଗତି ଓ ସଠିକତା ବଜାୟ ରଖିଥିଲା ।
ଏହି ଗବେଷଣାର ପ୍ରଭାବ ବିଷୟରେ ପ୍ରଫେସର ଦାସ କହିଛନ୍ତି, "ପୁରୁଣା ମଡେଲ୍ର ସୀମିତତାକୁ ଅତିକ୍ରମ କରି ଏବଂ ମିଶ୍ରିତ ଟ୍ରାଫିକ୍ର ଅନନ୍ୟ ଆହ୍ୱାନର ମୁକାବିଲା କରି, ଏମ୍ସିଭିଡି ମଡେଲ୍ ବିକାଶଶୀଳ ଦେଶମାନଙ୍କରେ ରିୟଲ୍ ଟାଇମ୍ ଯାନ ଚିହ୍ନଟ ପାଇଁ ଏକ ସ୍କେଲେବଲ୍ ବିକଳ୍ପ ପ୍ରଦାନ କରେ । ଏହାର ବ୍ୟବହାର ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ଆଣିବା, ଭିଡ଼ ହ୍ରାସ କରିବା ଏବଂ ସଡ଼କ ନିରାପତ୍ତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ।
ଗବେଷକ ଦଳ ଏହି ଧାରଣାକୁ ଆଧାର କରି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ବିକଶିତ କରିବା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏକ ଷ୍ଟାର୍ଟଅପ୍ ମାଧ୍ୟମରେ ଏହାକୁ ବ୍ୟବସାୟୀକରଣ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ।