ଖାଦ୍ୟ, ବସ୍ତ୍ର, ବାସଗୃହ ହେଉଛି ମଣିଷର ମୌଳିକ ଆବଶ୍ୟକତା । ଆଉ ଖାଦ୍ୟ ବା ଭୋଜନ ହେଉଛି ଆମ ଶରୀର ପାଇଁ ମୌଳିକ ଆବଶ୍ୟକ ଜିନିଷ । ଭୋଜନ ଦ୍ୱାରା ଆମ ଶରୀରକୁ ଶକ୍ତି ପ୍ରାପ୍ତ ହୋଇଥାଏ, କାର୍ଯ୍ୟ କରିବାର କ୍ଷମତା ବଢ଼ିଥାଏ ଏବଂ ସର୍ବୋପରି ସ୍ୱାସ୍ଥ୍ୟ ଭଲ ରହିଥାଏ । ଯାହା ଦ୍ୱାରା ଆମେ ଆମ ଦୈନନ୍ଦିନ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁ । ହିନ୍ଦୁ ଧର୍ମରେ ଶାସ୍ତ୍ରରେ କୁହାଯାଇଛି, ସ୍ନାନ କରିବା ପରେ ଭୋଜନ କରିବା ଉଚିତ । କିନ୍ତୁ ଏହି ବୈଜ୍ଞାନିକ ଯୁଗରେ କ'ଣ ଆମେ ଏହି ପୁରୁଣା ଶାସ୍ତ୍ର କଥାକୁ ମାନିବା ଆବଶ୍ୟକ? ହଁ ମାନିବା ଆବଶ୍ୟକ ଏବଂ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ପଢ଼ନ୍ତୁ କ'ଣ ରହିଛି ଭୋଜନର ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟାନ୍ତ...
ଧାର୍ମିକ କାରଣ-
ଶାସ୍ତ୍ର ଅନୁଯାୟୀ, ସ୍ନାନ କରିବା ପୂର୍ବରୁ ଭୋଜନ କରିବା ଅନୁଚିତ । ସ୍ନାନ କରିବା ପରେ ପବିତ୍ର ହୋଇ ଭୋଜନ କରିବାର ପରମ୍ପରା ଭାରତୀୟ ସଂସ୍କୃତିରେ ବହୁ ପୂରାତନ । ବିନା ସ୍ନାନରେ ଭୋଜନ କରିବା ପଶୁଙ୍କ ସହ ସମାନ ବୋଲି ଦର୍ଶାଯାଇଛି । ଏହାସହ ସ୍ନାନ ନକରି ଭୋଜନ କଲେ ଦେବାଦେବୀ କ୍ରୋଧ କରନ୍ତି ବୋଲି ବର୍ଣ୍ଣନା କରାଯାଇଛି । ଦେବାବେଦୀଙ୍କର କ୍ରୋଧ କରିବା କାରଣରୁ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଏ । ଏହସହ ଅନ୍ନଙ୍କୁ ମାଆ ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ । ତେଣୁ ବିନା ସ୍ନାନରେ ଭୋଜନ କଲେ ମାଆ ଲକ୍ଷ୍ମୀଙ୍କ ଅବମାନନା ହେବା ସହ ମାଆଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇନଥାଏ । ତେଣୁ ସର୍ବଦା ସ୍ନାନ କରି ଭୋଜନ କରିବା ଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ରହେ ।
ବୈଜ୍ଞାନିକ କାରଣ-
ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଅନୁଯାୟୀ ସ୍ନାନ କରିବା ଦ୍ୱାରା ଆମ ଶରୀରରୁ ଝାଳ ଆକାରରେ ଯେତିକି ପାଣି ନିର୍ଗତ ହୋଇଯାଇଥାଏ, ଗାଧୋଇବା ଦ୍ୱାରା ସେହି ପାଣି ଆବଶ୍ୟକ ପରିମାଣରେ ଶରୀର ଭିତରକୁ ପ୍ରବେଶ କରିଥାଏ । ଯାହା ଦ୍ୱାରା ଶରୀର ଶୀତଳ ହୋଇ ଫୂର୍ତ୍ତି ଅନୁଭୂତ ହୋଇଥାଏ । ଭୋକ ମଧ୍ୟ ସଠିକ ପରିମାଣରେ ହୋଇଥାଏ । ସେହି ସମୟରେ ଆମେ ଯେଉଁ ଖାଦ୍ୟ ଖାଉ ତାହା ସଠିକ ଭାବେ ହଜମ ହୋଇଥାଏ । ପେଟ ଜନିତ ବହୁ ସମସ୍ୟା ଗ୍ୟାସଟିକ, ଏସଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ । ଏଥିସହ ଭୋଜନ କରିବା ପରେ ସ୍ନାନ କରିବାଦ୍ୱାରା ପାକସ୍ଥଳୀରେ ଖାଦ୍ୟ ଭଲଭାବରେ ହଜମ ହୁଏନାହିଁ ବୋଲି ବୈଜ୍ଞାନିକମାନେ ମଧ୍ୟ ଦର୍ଶେଇଛନ୍ତି ।