ଭଦ୍ରକ (୧ ଜୁଲାଇ ୨୦୨୫): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ବଡମହିଷଗୋଠ ପଞ୍ଚାୟତ ନରାଜପୁର ମୌଜାରେ ଥିବା ହ୍ୟୁମ୍ ପାଇପଟି ପୋତି ହୋଇଯାଇଛି । ଏହି ହ୍ୟୁମ୍ ପାଇପରେ ଜଳ ନିଷ୍କାସନ ନହେବା ଯୋଗୁ ସଂପୃକ୍ତ ଅଞ୍ଚଳର ଚାଷ କାର୍ଯ୍ୟକୁ ବ୍ୟାପକ କ୍ଷତି ପହଞ୍ଚାଉଛି । ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ନିଷ୍କାସନ ନ ହେବା ତଥା ପାଣି ଜମି ରହିବା ଯୋଗୁ ସଂପୃକ୍ତ ଅଞ୍ଚଳରେ ଥିବା ଚାଷ ଜମି ଗୁଡିକ ବୁଡିଯାଇଛି । ଫଳରେ ଚାଷକାର୍ଯ୍ୟ ଆଗେଇ ପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ କ୍ଷେତ୍ରୀୟ ତଦନ୍ତ କରି ଚାଷୀ ମାନଙ୍କ ଗୁହାରୀ ଶୁଣିଛନ୍ତି ।
ପ୍ରକାଶଯେ ଅଣିଜୋ ମାଇନର୍ କେନାଲରୁ ବାହାରିଥିବା କାଢା ନାଳ ମାଧ୍ୟମରେ ନରାଜପୁର, ହରିପୁର, ଘଣ୍ଟଗଢ଼ିଆ, ବଡମହିଷଗୋଠ ଆଦି ଅଞ୍ଚଳର ଚାଷୀଙ୍କ ଚାଷ ଜମିରେ କାଢା ନାଳ ମାଧ୍ୟମରେ ପାଣି ନିର୍ଗତ ହୋଇଥାଏ । ଏହି କାଢା ନାଳଟି ବଡମହିଷଗୋଠ ପଚାଂୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହ୍ୟୁମ ପାଇପକୁ ସଂଯୋଗ କରୁଛି । କିଛି ବର୍ଷ ପୂର୍ବେ କୁଆଁଶମଢିଆ-କାଉପୁର ଭାୟା ଅଣିଜୋ ରାସ୍ତା ନିର୍ମାଣ ବେଳେ ଚାଷୀଙ୍କ ବିରୋଧ ସତ୍ୱେ ଠିକାଦାର ଜଣକ ତୃଟିପୂର୍ଣ୍ଣ ଭାବେ ହ୍ୟୁମ୍ ପାଇପ ବିଛାଇ ଥିଲେ । ଜମିର ଉଚ୍ଚତା ଠାରୁ ହ୍ୟୁମ୍ ପାଇପଟି ୨ ଫୁଟ ଉଚ୍ଚରେ ବସା ଯାଇଥିବାରୁ, ଆଜକୁ ୪ ବର୍ଷ ହେବ ଉକ୍ତ ହ୍ୟୁମ୍ ପାଇପରେ ପାଣି ନିସ୍କାସନ ହେଉନାହିଁ ।
ଫଳରେ ସଂପୃକ୍ତ ଅଞ୍ଚଳର ଚାଷୀ ଚକ୍ରଧର ପାଣିଗ୍ରାହୀ,ଅମୂଲ୍ୟ ରତ୍ନ ନନ୍ଦ, ଶିଶିର ଦେଓ, ରଘୁନାଥ ନାୟକ,ରାଖାଲ ନାଥ, ବିକାଶ ପାଣିଗ୍ରାହୀ, ହରିହର ପାଣିଗ୍ରାହୀ, ସୀତାରାମ ପାଣିଗ୍ରାହୀ, ଶିବ ପ୍ରସାଦ ମିଶ୍ର, ମହେନ୍ଦ୍ର ମିଶ୍ର, ଶଙ୍କର୍ଷଣ ନାୟକ ପ୍ରମୁଖଙ୍କ ୩୦ ଏକର ଚାଷ ଜମି ଜଳ ପ୍ଳାବିତ ହେଉଛି । ଏନେଇ ଚାଷୀମାନେ ଜଳ କର ଦେବା ସ୍ୱତ୍ୱେ କ୍ଷତି ସହି ଆସୁଛନ୍ତି । ଉପରୋକ୍ତ ଘଟଣା ନେଇ ସହକାରୀ ଯନ୍ତ୍ରୀ ନବଘନ ମାରାଣ୍ଡି କହନ୍ତି, ହ୍ୟୁମ୍ ପାଇପଟି କିଛି ମାତ୍ରାରେ ପୋତି ଯାଇଛି ପୁରୁଣା ପାଇପ୍ ଖୋଳାଯାଇ ନୂତନ ଭାବେ ୧ ମି.ପାଇପ୍ ବସାଯାଇ ଚାଷ ସମସ୍ୟାର ସମାଧାନ କରାଯିବ ।
(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)