କ୍ରିକେଟ ଇତିହାସରେ ପ୍ରଥମଥର ଟି-୨୦ ଫର୍ମାଟରେ ଭାରତକୁ ୭ ୱିକେଟରେ ହରାଇ ଇତିହାସ ସୃଷ୍ଟି କଲା ଭାରତ ଗସ୍ତରେ ଥିବା ବଙ୍ଗଳାଦେଶ ଦଳ ।
ବ୍ୟୁରୋ (୩ ନଭେମ୍ବର ୨୦୧୯): ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ ଦଳ । ଟି-୨୦ରେ ପ୍ରଥମଥର ପାଇଁ ବଙ୍ଗଳାଦେଶ ଭାରତକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ମୁସଫିକର ରହିମଙ୍କ ଲଢ଼ୁଆ ଅପରାଜିତ ୬୦ ରନର ମ୍ୟାଚ୍ ବିଜୟୀ ଇନିଂସ ବଳରେ ବଙ୍ଗଳାଦେଶୀ ଦଳ ୧୪୯ ରନର ବିଜୟ ଲକ୍ଷ୍ୟ ମାତ୍ର ୩ ୱିକେଟ ହରାଇ ୧୯.୩ ଓଭର୍ରେ ହାସଲ କରିଥିଲା ।
ଆଜିର ମ୍ୟାଚରେ ବାଂଲାଦେଶୀ ଅଧିନାୟକ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ରୋହିତ୍ ଶର୍ମା ୫ ବଲରେ ମାତ୍ର ୯ ରନ୍ କରିଥିଲେ । ଏହାପରେ କେ.ଏଲ୍. ରାହୁଲ ମାତ୍ର ୧୫ ରନ କରି ବିଦାୟ ନେଇଥିଲେ । ଶିଖର ଧବନ ଓ ଶ୍ରେୟସ ଅୟର ଚତୁର୍ଥ ଓ୍ଵିକେଟରେ ୩୪ ରନ ଯୋଡ଼ିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା ।
୧୪୮ ରନ୍ର ଲକ୍ଷ୍ୟର ପିଛା କରି ବାଂଲାଦେଶ ପ୍ରଥମ ଓଭରରେ ଲିଟନ୍ ଦାସଙ୍କ ୱିକେଟ ହରାଇଥିଲା । ମାତ୍ର ୭ ରନ୍ କରିଥିବା ଲିଟନଙ୍କୁ ଦୀପକ ଚହର୍ ଆଉଟ୍ କରିଥିଲେ । ଏହା ପରେ ଡେବ୍ୟୁଟାଣ୍ଟ ମହମ୍ମଦ ନଇମ ଓ ସୌମ୍ୟ ସରକାର ୨ୟ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳୀୟ ସ୍ଥିତି ସୁଧାରିଥିଲେ । ନଇମ ୨୬ ରନ୍ କରି ଚହଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ।
ସୌମ୍ୟ ଓ ମୁଶଫିକର ରହିମ୍ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୬୦ ରନର ମୂଲ୍ୟବାନ୍ ପାର୍ଟନରଶିପ୍ କରି ବାଂଲାଦେଶକୁ ବିଜୟ ନିକଟତର କରାଇଥିଲେ । ସୌମ୍ୟ ୩୫ ବଲରେ ୧ ଚୌକା ଓ ୨ ଛକା ସହ ୩୯ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମୁଶଫିକର ଓ କ୍ୟାପଟେନ୍ ମହମଦୁଲ୍ଲା ଆକ୍ରମଣାତ୍ମକ ବ୍ୟାଟିଂ କରି ୩ଟି ବଲ୍ ବାକି ଥାଇ ନିଜ ଟିମକୁ ବିଜୟୀ କରାଇଥିଲେ ।
ରହିମ୍ ୪୩ ବଲରେ ୮ ଚୌକା ଓ ୧ ଛକା ସହ ୬୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅଧିନାୟକ ମହମ୍ମଦୁଲ୍ଲା ୭ ବଲରେ ୧୫ ରନ୍ କରି ଅପରାଜିତ ଥିଲେ ।