ବ୍ୟୁରୋ (୮ ନଭେମ୍ବର ୨୦୧୯): ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଲାଗିଗଲା ନିଆଁ । ନିଆଁ ଲାଗିଥିବା କଥା ଜାଣିପାରି ବିମାନ ଚାଳକ ଏହାକୁ ରାୟପୁର ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରାଇଛନ୍ତି ।
ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନର ବାମପଟେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଲାଗିବା କଥାକୁ ଯାତ୍ରୀମାନେ ଦେଖିଥିଲେ ଓ ଦେଖିବାପରେ ଯାତ୍ରୀମାନେ ଆତଙ୍କିତ ହୋଇ ବିମାନରେ ଥିବା ପରିଚାରିକାଙ୍କୁ ଅବଗତ କରାଇଥିଲେ । ଏହି ବିମାନକୁ ଜରୁରୀକାଳିନ ସ୍ଥିତିରେ ରାୟପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।
ଏହି ବିମାନରେ ଯାତ୍ରା କରୁଥିବା ଓଡ଼ିଆ ଅଭିନେତା ଦେବାଶିଷ ପାତ୍ର ଫୋନ ଯୋଗେ ଓଟିଭିକୁ ଦେଇଥିବା ସୂଚନା ଅନୁସାରେ ବିମାନରେ ନିଆଁ ଲାଗିଯିବାପରେ ଏହାର ଇଞ୍ଜିନ ବନ୍ଦ ହୋଇଯିବା ଭଳି ଅନୁଭବ ହୋଇଥିଲା । ଏହାପରେ ବିମାନ ଚାଳକ ଏହି ବିଷୟରେ ଅବଗତ ହେବାପରେ ଯାତ୍ରା କରୁଥିବା ସମସ୍ତ ୧୮୨ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଇଥିଲେ । ଏହି ଅବତରଣ ଫଳରେ ମୁମ୍ବାଇ ପହଞ୍ଚିବାପାଇଁ ଯାତ୍ରୀମାନଙ୍କୁ ଘଣ୍ଟାଏରୁ ଅଧିକ ବିଳମ୍ବ ହେବ ବୋଲି ସୂଚନା ମିଳିଛି ।