ଭୁବନେଶ୍ୱର (୪ ଅକ୍ଟୋବର ୨୦୧୯): ଦୁର୍ଗାପୂଜା ଉପଲକ୍ଷେ ଆଜି ମୁକ୍ତିଲାଭ କରିଛି ଦୁଇଟି ଓଡ଼ିଆ କଥାଚିତ୍ର । ପ୍ରଥମଟି ହେଉଛି ତରଙ୍ଗ ସିନେ ପ୍ରଡକ୍ସନରେ ଅଭିନେତା ବାବୁଶାନ୍ ଅଭିନୀତ କଥାଚିତ୍ର ମିଷ୍ଟର ମଜନୁ ଓ ସାର୍ଥକ ମୁଭିଜ୍ର ୨୭ ତମ କଥାଚିତ୍ର ଦିସ୍ ଇଜ୍ ମାୟାରେ ବାୟା ।
ମିଷ୍ଟର ମଜନୁରେ ବାବୁଶାନଙ୍କ ସହ ତିନିଜଣ ନାୟିକା ଦିବ୍ୟା, ସୁର୍ଯ୍ୟମୟୀ ଓ ଶୀତଲ ଅଭିନୟ କରିଛନ୍ତି । ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି କଥାଚିତ୍ର ପର୍ଯ୍ୟବେଶିତ ହୋଇଥିବାବେଳେ ଏଥିରେ ମିହିର ଦାସ ଏକ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି ଏବଂ ରାଇମୋହନ ପରିଡ଼ା ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ତରଙ୍ଗ ସିନେ ପ୍ରଡକ୍ସନରେ କାର୍ଯ୍ୟ କରିଛନ୍ତି ।
ମିଷ୍ଟର ମଜନୁର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି ଏବଂ ସ୍ୱର ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଏହି କଥାଚିତ୍ରର ଗୀତ ରଚନା କରିଛନ୍ତି ।
ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ କଥାଚିତ୍ର ଦିସ୍ ଇଜ୍ ମାୟରେ ବାୟାରେ ମୁଖ୍ୟ ଭୂମିକାରେ ସ୍ୱରାଜ ବାରିକ, ଏଲିନା ସାମନ୍ତରାୟ, ସିଦ୍ଧାନ୍ତ ମହାପାତ୍ର ଓ ଝିଲିକ୍ ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ମଳୟ ମିଶ୍ର ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ପୂଜା ବଜାରରେ ଉଭୟ କଥାଚିତ୍ରଟିର ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି । ଏହି ସମୟରେ ବଜାରେ ହ୍ରିତିକ୍ ରୋଶନ ଓ ଟାଇଗର ଶ୍ରଫ୍ଙ୍କ ଅଭିନୀତ ବଲିଉଡ଼ କଥାଚିତ୍ର ୱାର୍ ଓ ମେଗାଷ୍ଟାର ଚିରଞ୍ଜୀବ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ତ୍ରିଭାସୀ କଥାଚିତ୍ର ସାଇରା ନରସିଂହ୍ମା ରେଡ୍ଡି ସହ ହଲିଉଡ଼୍ କଥାଚିତ୍ର ଜୋକର୍ ଭଲ ବ୍ୟବସାୟ କରୁଛି ।