ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପଛରେ କି କି ମୁଖ୍ୟ କାରଣ ଅଛି, ଆଜି ସେ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, "ଏହା ବହୁତ ଭଲଭାବରେ ବିଚାରବିମର୍ଶ କରାଯାଇ ନିଆଯାଇଥିବା ପଦକ୍ଷେପ । ଏହି ନିଷ୍ପତ୍ତି ଆଦୌ ତରବରିଆ ଭାବେ ନିଆଯାଇନାହିଁ ବରଂ ଭାବିଚିନ୍ତି ଉଦ୍ଦେଶ୍ୟମୂଳକ ଭାବେ ନିଆଯାଇଛି ।"
ଏହା ଜମ୍ମୁ-କାଶ୍ମୀରର ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ରାଜ୍ୟର ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ବିକାଶକୁ ଗତି ମିଳିବ । ବିଶେଷ କରି ଏଠାରେ କୃଷି, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତିବିଦ୍ୟା ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ଘଟିବ । ଦେଶର ଆୟ ବି ବୃଦ୍ଧି ପାଇବ ବୋଲି ମୋଦୀ ଆଶା ପ୍ରକଟ କରିଛନ୍ତି । ଏହି ଧାରାକୁ ପାକିସ୍ତାନ ଏକ ଅସ୍ତ୍ରଭାବେ ବ୍ୟବହାର କରୁଥିଲା ବୋଲି ସେ ଦର୍ଶେଇ ଥିଲେ ।