ତୃତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଯାପିତ: ଡ. ପ୍ରତିଭା ରାୟଙ୍କୁ ନିତ୍ୟାନନ୍ଦ ମହାପାତ୍ର ଉପସ୍ୟାସ ପୁରସ୍କାର - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 15 February 2026

ତୃତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଯାପିତ: ଡ. ପ୍ରତିଭା ରାୟଙ୍କୁ ନିତ୍ୟାନନ୍ଦ ମହାପାତ୍ର ଉପସ୍ୟାସ ପୁରସ୍କାର

Prathia Ray got Nityananda Mohapatra Upanyasa Pursakar at Salandi Sahitya Sangam

ଭଦ୍ରକ (୧୫ ଫେବୃଆରୀ ୨୦୨୬): ଦୁଇଦିନ ଧରି ଭଦ୍ରକ ବାଇପାସ ସ୍ଥିତ ‘ସଙ୍ଗମ କନ୍‌ଭେନ୍‌ସନ୍‌’ ଠାରେ ‘ଟାଇମ୍‍ପାସ’ ପକ୍ଷରୁ ଆୟୋଜିତ ଉତ୍ତରପୂର୍ବ ଓଡ଼ିଶାର ସର୍ବବୃହତ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ତୃତୀୟ ସଂସ୍କରଣ ଆଜି ଉଦ୍‌ଯାପିତ ହୋଇଯାଇଛି । ଶ୍ରୀଶ୍ରୀ ହୁଗୁଳାଙ୍କ ଏକ ଯୋଗସନ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାପରେ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ସଂଚାଳନାରେ ‘ଜୀବନର ଗପ, ଗପର ଜୀବନ’ ଆଲୋଚନା ଚକ୍ରରେ ଶୁଭ ନାରାୟଣ ସ୍ୱାଇଁ, ଡ. ସୁବ୍ରତ କୁମାର ସେନାପତି, ସ୍ୱରୂପ ନାୟକ, ଡ. ତୃପ୍ତି ରଞ୍ଜନ ଦାସ ଓ ପ୍ରଜ୍ଞା ପାରମିତା ରଥ ଆଲୋଚନା କରିଥିଲେ । ଡ. ଅଭୟ ଦାସଙ୍କ ସଂଚାଳନାରେ ‘ପ୍ରେମ ଓ ଜାଗର: ଜାଗରଣ ହିଁ ପ୍ରେମ’ ଶୀର୍ଷକ ଆଲୋଚନା ଚକ୍ରରେ ଡ. ବିଶ୍ୱରଞ୍ଜନ ଦାସ, ଡ. ରାଧାରାଣୀ ମହାପାତ୍ର, ଗଙ୍ଗାଧର ବିଶ୍ୱାଳ ଓ ଅତୁଲ ବଳ ଭାଗ ନେଇଥିଲେ । 

ଅନ୍ତର୍ଯ୍ୟାମୀ ମିଶ୍ର, ସୁମିତ ପଣ୍ଡା ଓ କାମଦେବ ମହାରଣାଙ୍କ ସଂଚାଳନାରେ ଆୟୋଜିତ ‘ପ୍ରେମ ଓ ଜାଗର’ ଶୀର୍ଷକ କବିତା ଉଚ୍ଚାରଣ କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ଅତିଥି କବି ଡ. ପ୍ରଭାତ ନଳିନୀ ମହାପାତ୍ର, ପବିତ୍ର ମୋହନ ଦାଶ, କିଶୋର ପାଣିଗ୍ରାହୀ, ଉତ୍ପଳ ମହାନ୍ତି, ଗୌରୀ ସାହୁ, ଅଙ୍ଗୁରବାଳା ପରିଡ଼ା, ମାନମୟୀ ରଥ, ଶ୍ରୀଦେବ, ସୁଚିତ୍ରା ପାଣିଗ୍ରାହୀ, ବିଚିତ୍ରାନନ୍ଦ ଜେନା, ମନୋଜ କୁମାର ଭଳ, ମନୀଷା ବିଶ୍ୱାଳ, ଜିତୁ ପ୍ରଧାନ, ପ୍ରୀତିପଦ୍ମା ଦାସ, କ୍ଷୀରୋଦିନୀ ବେହେରା, ସତ୍ୟଜିତ ଦାସ, ପ୍ରତିଭା ଖିଲାର ଓ ସଞ୍ଜୁକ୍ତା ବଳ । ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଏକ ଆକର୍ଷଣୀୟ ଚିତ୍ର ଆଙ୍କିଥିଲେ ସମସାମୟିକ ଶିଳ୍ପୀ ବିରେନ୍ଦ୍ର ପାଣି ।

କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଂଚାଳନାରେ ଆୟୋଜିତ ‘ଗପ ପଛର ଗପ’ ଶୀର୍ଷକ ଆଲୋଚନା ଚକ୍ରରେ ରଜନୀକାନ୍ତ ମହାନ୍ତି, ଡ. ରାଧାବିନୋଦ ନାୟକ, ଝରଣା ପଟ୍ଟନାୟକ, ପ୍ରଶାନ୍ତ କୁମାର ଦାସ ଓ ସଂଗ୍ରାମ କେଶରୀ ସେନାପତି ନିଜ ନିଜର ଗପ ପଛରେ ଥିବା ପ୍ରେରଣା ବାବଦରେ ଆଲୋଚନା କରିଥିଲେ । ଶୈଳେନ୍ଦ୍ର ମହାପାତ୍ର ଏହି ଆଲୋଚନା ଚକ୍ରର ସମୀକ୍ଷା କରିଥିଲେ । ଶ୍ରୀଗୋବିନ୍ଦଙ୍କ ସଂଚାଳନାରେ ‘ନାଟକରେ ନାଟକୀୟତା: ସତର ଢାଙ୍କୁଣୀ’ ଶୀର୍ଷକ ଆଲୋଚନା ଚକ୍ରରେ ଗପସପ କରିଥିଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକଦାର, ଲାଲା ବିରେନ ରାୟ ଓ ଅମିତାଭ ଖିଲାର ।

ଅପରାହ୍ଣରେ ଖ୍ୟତନାମା କଣ୍ଠଶିଳ୍ପୀ ଶେଖର ଘୋଷ ଭଜନ ସହ ‘ହୃଦୟର ଏହି ଶୂନ୍ୟତାକୁ…’ ଗୀତ ପରିବେଷଣ କରିଥିଲେ ଏବଂ ଏହାପରେ ଟାଇମ୍‌ପାସ୍ ଦ୍ୱାରା ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟଙ୍କ ଉପରେ ନିର୍ମିତ ବୃତଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଡ. ରାୟଙ୍କୁ ନିତ୍ୟାନନ୍ଦ ମହାପାତ୍ର ଉପସ୍ୟାସ ପୁରସ୍କାର, ଦାଶ ବେନହୁରଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଳ୍ପ ପୁରସ୍କାର, ଡ. ଅପର୍ଣ୍ଣା ମହାନ୍ତିଙ୍କୁ କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର, ଶେଖର ଘୋଷଙ୍କୁ ମନମୋହନ ସାବତ ସଙ୍ଗୀତ ପୁରସ୍କାର, ସବ୍ୟସାଚୀ ମହାପାତ୍ରଙ୍କୁ ନୀରଦ ମହାପାତ୍ର ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସ୍ୱରୂପ ପ୍ରତ୍ୟେକଙ୍କୁ ଉତ୍ତରୀୟ, ସମ୍ମାନ ଫଳକ ସହିତ ଦଶ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିଭଳି ପ୍ରଶାନ୍ତ କୁମାର ଦାସ ଓ ଝଙ୍କାର ପତ୍ରିକାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତିଙ୍କୁ ସାହିତ୍ୟ ସଖା ସମ୍ମାନ ପ୍ରଦତ୍ତ ହୋଇଥିଲା । ଗାଳ୍ପିକ ରାଧାବିନୋଦ ନାୟକଙ୍କ ‘ଶ୍ରେଷ୍ଠ ଗଳ୍ପ’ ପୁସ୍ତକ ଡ. ରାୟଙ୍କ ହାତରେ ପାଠକାର୍ପଣ ପରେ ତାଙ୍କ ଝିଅ ଲିପିପୁଷ୍ପା ନାୟକ ଗାଳ୍ପିକଙ୍କ ବିଷୟରେ ଅନୁଭୂତି ବଖାଣିଥିଲେ ।

କାର୍ଯ୍ୟକ୍ରମର ଦିଗ୍‌ଦର୍ଶକ ଡା. ବିକାଶ ନାରାୟଣ ନନ୍ଦ, ବାସୁଦେବ ବାରିକ, ପୂର୍ଣ୍ଣଚନ୍ଦ୍ର ବହଳୀ, ପ୍ରମୋଦ ରାୟ, ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନୀ ପର୍ବରେ ଡ. ପ୍ରତିଭା ରାୟ ଓ ବ୍ୟଙ୍ଗକବି ଜ୍ଞାନ ହୋତାଙ୍କ ସହ ଆଳାପ କରିଥିଲେ ସଭାପତି ପବିତ୍ର ପାଣିଗ୍ରାହୀ ଓ ନିର୍ଦ୍ଦେଶକ ସରୋଜ ବଳ ।

ଏହି ଉତ୍ସବର ପରିଚାଳନାରେ ତିଳୋତ୍ତମା ବଳ, ସମାସ ବଳ, ଅଂଶୁମାନ ପଣ୍ଡା, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ବିହାରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


Post Bottom Ad