ବ୍ୟୁରୋ (୧୪ ଜାନୁଆରୀ ୨୦୨୫): ଧନୁଯାତ୍ରା ସରିଲା । ଚଳିତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ଵର ପ୍ରଧାନ ବରଗଡ଼ରୁ ସିଧା ଶ୍ରୀକ୍ଷେତ୍ର ଆସି ପରମ୍ପରା ଅନୁଯାୟୀ ପ୍ରାୟଶ୍ଚିତ କରିଛନ୍ତି । ମଙ୍ଗଳବାର ଦିନ ସେ ମହୋଦଧିରେ ସ୍ନାନ କରି ପଇତା ବିସର୍ଜନ କରିଥିଲେ । ଏହାପରେ, ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ପାଇଁ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ ଏବଂ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଥିଲେ ।
ଧନୁଯାତ୍ରାର କାହାଣୀ ଅନୁଯାୟୀ ମଥୁରାର ପରାକ୍ରମୀ ରାଜା କଂସ ବହୁ ଅନ୍ୟାୟ ଓ ଅତ୍ୟାଚାର କରିବା ସହିତ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲେ । ତେଣୁ ଏହି ପାପର ପ୍ରାୟଶ୍ଚିତ କରିବା ପାଇଁ ପ୍ରତିବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଧନୁଯାତ୍ରା ଶେଷରେ ଶ୍ରୀକ୍ଷେତ୍ର ପୁରୀକୁ ଆସିଥାନ୍ତି ।