ବ୍ୟୁରୋ (୨୫ ଅକ୍ଟୋବର ୨୦୨୪): ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଯାଏ; ମନେପଡ଼ିଯାଏ ୧୯୯୯ ମସିହାର ସେହି ପ୍ରଳୟର କଥା । ସେଦିନକୁ ୨୫ ବର୍ଷ ବିତିବାକୁ ବିସଛି, ଆଜି ବି ସମାନ ଦିନ, ଶୁକ୍ରବାର ଥିଲା ଆଉ ଭୟ ବି ସମାନ ଥିଲା । ଆଜି ବି ଓଡ଼ିଶା ଉପକୂଳରେ ଧକ୍କା ହେଲା ବାତ୍ୟା ରୂପରେ ଦାନା ।
କାଲି ମଧ୍ୟରାତ୍ରରୁ ଆଜି ବିଳମ୍ବିତ ସକାଳ ଯାଏଁ ଲ୍ୟାଣ୍ଡଫଲ୍ କରିବା ଆଉ ତା'ପରେ ଆସିଲା ଅନେକ ସ୍ଥାନର ଖବର । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଛି ତ କେଉଁଠି ଇଲେକ୍ଟ୍ରି ଖୁଣ୍ଟି ଓ ଟ୍ରାନ୍ସଫର୍ମର୍ ପଡ଼ି ବିଦ୍ୟୁତ ଯୋଗାଣ ବ୍ୟାହାତ ହୋଇଛି । ସରକାର ବଦଳିବା ପରେ, ଏତେ ବଡ଼ ମୁକାବିଲାକୁ ଖାଲି ମନ୍ତ୍ରୀମାନେ ନୁହନ୍ତି, ମୁଖମନ୍ତ୍ରୀ ମଧ୍ୟ ଅତି ନିକଟରୁ ତଦାରଖ କରୁଥିଲେ ଆଉ ସଭିଏଁ ଦୃଢ଼ତାର ସହିତ ମୁକାବିଲା କରିଛନ୍ତି ।
"ଯିଏ ବିପଦର ସାମ୍ନା କରିଛି, ତାକୁ ଡର କ'ଣ ପଚାରନ୍ତୁ । ଯାହାର ଘର ଭାଙ୍ଗିଛି କି ଯିଏ, ନିଜ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛି, ତାକୁ ପଚାରନ୍ତୁ । ବାତ୍ୟା ଠାରୁ ଶହଶହ-ହଜାରହଜାର ମାଇଲ୍ ଦୂରରେ ରହି ଖାଲି ସୋସିଆଲ୍ ମିଡ଼ିଆରେ ଅନୁଭୂତ ବଖାଣିବା ସହଜ । ଅନେକ ସୋସିଆଲ୍ ମିଡ଼ିଆ ବନ୍ଧୁମାନଙ୍କର ଏମିତି ମନ୍ତବ୍ୟକୁ ନିନ୍ଦନୀୟ ହିଁ କହିହେବ ।"
ବାତ୍ୟା ଆସିଥିଲା, କ୍ଷୟକ୍ଷତି ହୋଇଛି । ଏହାକୁ ଏଡ଼ାଇ ଯାଇପାରିବେ ନାହିଁ । ବାତ୍ୟାର ପ୍ରକୋପ କମ୍ ରହିଛି, ତାହା ମହାପ୍ରଭୁଙ୍କ ଇଚ୍ଛା । ପରିସ୍ଥିତିର ମୁକାବିଲା କରିଥିବା ସଭିଙ୍କୁ ଆମ ତରଫରୁ ସାଧୁବାଦ ଜଣାଉଛୁ ।