ଭୁବନେଶ୍ୱର (୧୦ ଅଗଷ୍ଟ ୨୦୨୪): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ପକ୍ଷରୁ ୬ଷ୍ଠ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନର (ଆଇଏଆର୍ଆଇ) ବୀଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବୈଜ୍ଞାନିକ ଡକ୍ଟର ଶ୍ୟାମଳ କୁମାର ଚକ୍ରବର୍ତ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦେଶରେ ଶଙ୍କର ଜାତୀୟ ବିହନର ସ୍ଥିତି ଓ ବିଭିନ୍ନ ଫସଲରେ ଏହାର ଆଧୁନିକ ବୈଜ୍ଞାନିକ ଉତ୍ପାଦନର ଦିଗ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ ।
ଏହି ବକ୍ତୃତାମାଳାରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ ପ୍ରଫେସର ସ୍ୱାମୀନାଥନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଓ ନାମିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଇଏଏସ୍ ବୀଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଶାନ୍ତନୁ ସ୍ୱାଇଁ ଓଡ଼ିଶାରେ ଶଙ୍କର ଜାତୀୟ ବିହନର ପ୍ରୋତ୍ସାହନ ଦିଗରେ ଆଲୋଚନା କରିବା ସହ ଡକ୍ଟର ଚକ୍ରବର୍ତ୍ତିଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ ।
ଅଧ୍ୟାପକ ରାଜୀବ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।