ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅସିତ୍ ପଟ୍ଟନାୟକ କଳାହାଣ୍ଡିର ସରକାରୀ ବୈଷୟିକ ମହାବିଦ୍ୟାଳୟରୁ ଯାନ୍ତ୍ରିକ ଅବା ମେକାନିକାଲ ବ୍ରାଞ୍ଚରେ ଇଂଜିନିୟରିଂ ପାଠ୍ୟକ୍ରମ ୨୦୧୮ ମସିହାରେ ଶେଷ କରିଥିଲେ । କିନ୍ତୁ ଏହାପରେ ହଠାତ ତାଙ୍କ ମୁଣ୍ଡରେ ଅଭିନୟର କୀଡ଼ା ଚଢ଼ିଥିଲା ।
ପୂର୍ବରୁ ସେ କଲେଜ ସମୟରେ ଏକ ଛୋଟ ଭିଡ଼ିଓରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଣ୍ଟିଥିଲେ । ମାତ୍ର ବିଧିବଦ୍ଧ ଭାବରେ ଅଭିନୟ କ୍ଷେତ୍ରକୁ ଆସିବାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ସଂଘର୍ଷ ସମୟ ସବୁବେଳେ ରୁହେନାହିଁ । ଓ ଟିଭିରେ ପ୍ରସାରିତ ପୋଲିସ୍ ଫାଇଲ୍ ଓ ଅକୁହା କଥାରେ ସେ ଅଭିନୟ କରିବାର ସୁଯୋଗ ପାରିଥିଲେ । ନିଜର ଗୁରୁ ଭାବେ ମାନୁଥିବା ସୌଭାଗ୍ୟ ପ୍ରକାଶ ପତିଙ୍କୁ ସେ ଏହାର ସମ୍ପୂର୍ଣ୍ଣ ଶ୍ରେୟ ଦିଅନ୍ତୁ । ଏଥି ସହିତ ସେ ସୌଭାସ୍ୟ ପତିଙ୍କର ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ଓ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହ ସେ ନ୍ୟୁଜ୍ ୱାଲ୍ଡ ଓଡ଼ିଶାରେ ପ୍ରସାରିତ ସ୍ୱତନ୍ତ୍ର ଅଧ୍ୟାୟ ନିର୍ଭୟା ଓ ଅସମୟେ ଅନ୍ଧାରରେ ମଧ୍ୟ ଅଭିନୟ କରିଥିଲେ ।
ଏହାପରେ ତାଙ୍କ ଅଭିନୟ କ୍ୟାରିୟରରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ପିନୁ ନାୟକ ତାଙ୍କୁ ତାଙ୍କର ଆଗାମୀ ଓଡ଼ିଆ କଥାଚିତ୍ର ଇନ୍ଦ୍ରଜାଲରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଏହି କଥାଚିତ୍ରଟି ଏବେ ସୁଟିଂ ଶେଷ ହୋଇସାରିଛି ଏବଂ ମୁକ୍ତିଲାଭ ଅପେକ୍ଷାରେ ଅଛି । ଏହି ସୁଯୋଗ ପାଇଁ ସେ ପିନୁ ନାୟକଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଜୀବନରେ ଚରିତ୍ରକୁ ଦେଖି ନୁହେଁ ଅଭିନୟ ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ଅଭିନୟ ଜୀବନର ଯାତ୍ରାରେ ସବୁବେଳେ ବାପା, ମାଆ ଓ ବଡ଼ ଭାଇ ଅମିତ ପଟ୍ଟନାୟକଙ୍କର ପ୍ରେରଣା ଓ ଆଶୀର୍ବାଦ ରହିଛି ବୋଲି ଅସିତ ମତବ୍ୟକ୍ତ କରନ୍ତି ।