ଭୁବନେଶ୍ୱର (୨୩ ଅଗଷ୍ଟ ୨୦୧୯): ଆଜି ଶୁକ୍ରବାର ରିଲିଜ୍ରେ ଓଡ଼ିଆ କଥାଚିତ୍ର ଖୁସି ପରଦାକୁ ଆସିଛି । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି କଥାଚିତ୍ରଟି ଏକ ଛୋଟ ଝିଅର କାହାଣୀକୁ ନେଇ ନିର୍ମାଣ କରାଯାଇଛି ।
ତରଙ୍ଗ ସିନେ ପ୍ରଡକ୍ସନ ୨୦୧୫ ମସିହାରୁ ଲଗାତାର ଭାବରେ ଚଳଚ୍ଚିତ୍ର ନିର୍ମାଣ କରିଆସୁଥିଲେ ମଧ୍ୟ ପ୍ରଥମ ଥର ପାଇଁ ସାମାଜିକ ଚଳଚ୍ଚିତ୍ରଟିର ନିର୍ମାଣ କରିଛି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱଭାର ତୁଲାଇଥିଲେ ତାପସ ସରଘରିଆ । ତାପସ ୨୦୧୦ ମସିହାରେ ହରିହର ମହାପାତ୍ରଙ୍କ ଚଳଚ୍ଚିତ୍ର ରୁମ୍କୁ ଝୁମାନା ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଏବଂ ପରେ ସେ ଅନେକ ବଡ଼ ବଡ଼ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
ଏହି କଥାଚିତ୍ରଟିର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଶିଶୁ କଳାକାର ଐଶ୍ୱର୍ଯ୍ୟା । ତାଙ୍କ ବ୍ୟତୀତ ମିହିର ଦାସ, ଶକ୍ତି ବରାଳ, ଅଶୋକ ଦାସ, ମାଧୁମିତା ମହାନ୍ତି ଭଳି ଅନେକ ବରିଷ୍ଠ କଳାକାର ଅଭିନୟ କରିଛନ୍ତି ଏବଂ ଖୁସିର ମାଆ ବାପା ଭୂମିକାରେ ଅଭିନୟ କରିଛନ୍ତି ସରୋଜ ପରିଡ଼ା ଓ କାବ୍ୟା କିରଣ । କାବ୍ୟା ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର କାଉଁରୀ କନ୍ୟା ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେ ରହସ୍ୟ ନାମକ ଅନ୍ୟ ଏକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ।
ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଭରଦ୍ୱାଜ ପଣ୍ଡା ଏହାର ଗୀତଗୁଡ଼ିକ ରଚନା କରିଛନ୍ତି । ନଭ୍ୟା, ବୈଭବୀ, ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାନ କରିଛନ୍ତି ।