ଏବେ ସୁବୁଆଡ଼େ ଚାଲିଛି ଡିଜିଟାଲ ଯୁଗ । ଏହି ଯୁଗରେ କେହି ବି ଘରେ ବସି କୌଣସି ବି ଖବର ପାଇପାରିବ । ଏମିତିକି ଏବେ ବହିଟିଏ ପଢ଼ିବାକୁ ହେଲେ ଆଉ ଦୋକାନକୁ ଯାଇକି କି ସତସତିକା ବହିଟିଏ କିଣିବାକୁ ପଡ଼ୁନି । ଇ-ବୁକ୍ ଭାବରେ ତାକୁ ଆମେ ମୋବାଇଲ କିମ୍ବା କମ୍ପୁଟରରେ ଯେଉଁଠି ଚାହିଁବା ସେଇଠି ପଢ଼ିପାରିବା । ଅଧୁନା ଏହି ଡିଜିଟାଲ ଯୁଗରେ ଓଡ଼ିଆ ଭାଷା ମଧ୍ୟ ପଛରେ ରହି ଯାଇନାହିଁ । ଏବେ ଓଡ଼ିଆରେ ମଧ୍ୟ ଅନେକ ଇ-ପତ୍ରିକା ଏବଂ ଇ-ବୁକ୍ ଆସିଲାଣି । ଇ-ବୁକ୍ ଜରିଆରେ ମାଗଣାରେ ଲୋକମାନେ ମଧ୍ୟ ଅନେକ କିଛି ପଢ଼ିପାରୁଛନ୍ତି । ଫଳରେ ଓଡ଼ିଆ ପାଠକ ଏବଂ ଲେଖକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ସେହିଭଳି ସୋସିଆଲ ମିଡ଼ିଆର ବହୁତ ବ୍ୟବହାର ଫଳରେ ଏହି କାର୍ଯ୍ୟ ମଧ୍ୟ ଅନେକଙ୍କ ପାଖରେ ପହଞ୍ଚିପାରୁଛି ।
ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ ସେମିତି ଏକ ଇ-ପତ୍ରିକା ଶୁଭପଲ୍ଲବର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଛି । ୨୦୧୮ ମସିହା ନୂଆବର୍ଷରୁ ପ୍ରକାଶ ପାଉଥିବା ଏହି ପତ୍ରିକାଟିର ପୂର୍ବେ ନବପଲ୍ଲବ ଭାବରେ ଏହାର ଦୁଇଟି ସଂସ୍କରଣ ପ୍ରକାଶ କରିଥିଲା । ପରବର୍ତ୍ତୀ ସମୟରେ ଏହାର ଶୀର୍ଷକ ଶୁଭପଲ୍ଲବକୁ ବଦଳି ଯାଇଥିଲା । ଏହି ପତ୍ରିକାଟି ଖାଲି ମାଗଣାରେ ଉପଲବ୍ଧ ହେଉନାହିଁ, ଏଥିରେ ପ୍ରକାଶିତ ଲେଖାଗୁଡ଼ିକର ଅଡ଼ିଓ ମଧ୍ୟ ୟ-ଟ୍ୟୁବରେ ଉପଲବ୍ଧ ହେଉଛି । ଫଳରେ ଗପ ଶୁଣିବାରେ ରୁଚି ରଖୁଥିବା କିମ୍ବା ଓଡ଼ିଆ ପଢ଼ିବାରେ ଅସୁବିଧା ଭୋଗୁଥିବା ପାଠକମାନେ ଏହାକୁ ଶୁଣିପାରିବେ । ଏଥର ୩ୟ ସଂସ୍କରଣରେ ଭଜର, କବିତା, ସାହିତ୍ୟ ବିଶେଷ, ଗଳ୍ପ, ଭ୍ରମଣ କାହାଣୀ ଆଦିକୁ ନେଇ ସମୁଦାୟ ୭୦ ଗୋଟି ଲେଖା ପ୍ରକାଶ ପାଇଛି । ପତ୍ରିକାଟି ଶୁଭପଲ୍ଲବର ୱେବସାଇଟ୍ shubhapallaba.inରୁ ଡାଉନ୍ଲୋଡ୍ କରି ପଢ଼ିହେବ ।