- ଏନ୍ଆଇଟି ରାଉରକେଲା ୨୩ତମ ସମାବର୍ତ୍ତନ ସମାରୋହର ଲାଇଭ୍ ଇଭେଣ୍ଟ ଦେଖନ୍ତୁ - https://youtu.be/D8O8rcjHW6E
- ଶ୍ରୀଯୁକ୍ତ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ରାଉରକେଲା, ୬ ସେପ୍ଟେମ୍ବର ୨୦୨୫: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା (ଏନ୍ଆଇଟି ରାଉରକେଲା) ଆଜି ୬ ସେପ୍ଟେମ୍ବର ୨୦୨୫ରେ ୧୯୪୮ ଜଣ ଛାତ୍ରଛାତ୍ରୀଙ୍କ (୪୭୧ ଛାତ୍ରୀ ଓ ୧୪୭୭ ଛାତ୍ର) ଗ୍ରାଜୁଏଟିଂ କ୍ଲାସ ସହିତ ଏହାର ୨୩ତମ ସମାବର୍ତ୍ତନ ସମାରୋହ ପାଳନ କରିଥିଲା । ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରିଜେନ୍ଦ୍ର ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏନ୍ଆଇଟି ରାଉରକେଲାର ବୋର୍ଡ଼ ଅଫ୍ ଗଭର୍ଣ୍ଣରସ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍.ଏନ୍. ସୁବ୍ରହ୍ମଣ୍ୟମ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ 'ନିର୍ଦ୍ଦେଶକଙ୍କ ରିପୋର୍ଟ' ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏନ୍ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ସମାରୋହର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଥିଲେ, “ସମସ୍ତ ଗ୍ରାଜୁଏଟିଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ! ଆପଣଙ୍କର ନିଷ୍ଠା ଓ କଠିନ ପରିଶ୍ରମ ଆପଣଙ୍କୁ ଆଜିର ଏହି ସୁଫଳ ଦେଇଛି । ଆପଣମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସମସ୍ତ ଅଧ୍ୟାପକ ଓ ପରିଚାଳନା ସଦସ୍ୟମାନଙ୍କୁ ସାଧୁବାଦ ଏବଂ ପିଲାମାନଙ୍କୁ ନିରନ୍ତର ସମର୍ଥନ ପ୍ରଦାନ କରିବା ପାଇଁ ପିତାମାତାଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ଜଣାଉଛି । ଏନ୍ଆଇଟିଆର୍ ଦେଶର ୧୩ତମ ଏବଂ ଦ୍ୱିତୀୟ ଶ୍ରେଷ୍ଠ ଏନ୍ଆଇଟି ସ୍ଥାନ ପାଇବା ପାଇଁ ପରିଚାଳକଗଣ, ଛାତ୍ରଛାତ୍ରୀ ତଥା ସମସ୍ତ ସଦସ୍ୟମାନଙ୍କୁ ମୋର ଅଭିନନ୍ଦନ । ଛାତ୍ରଛାତ୍ରୀମାନେ, ଆପଣମାନେ ସବୁଠାରୁ ସୌଭାଗ୍ୟଶାଳୀ ସମୟରେ ଗ୍ରାଜୁଏଟ୍ ହେଉଛନ୍ତି । ଆମ ଦେଶ ୭-୮% ଅର୍ଥନୈତିକ ଅଭିବୃଦ୍ଧି ସହ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ । ଏହି ସମୟ ଆପଣଙ୍କ ଗ୍ରାଜୁଏଟ୍ ହେବା ପାଇଁ ସର୍ବୋତ୍ତମ ସମୟ ଅଟେ, କାରଣ ଭାରତ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବାକୁ ଯାଉଛି । ବିକଶିତ ଭାରତର ଚାରୋଟି ସ୍ତମ୍ଭ ମଧ୍ୟରୁ, ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଯୁବପୀଢ଼ି । ଏକ ବିକଶିତ ଦେଶ ହେବା ପାଇଁ ଭାରତକୁ ଯୁବ ଉଦ୍ୟୋଗୀ, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସକ, ଡାକ୍ତର ତଥା ସମସ୍ତଙ୍କର ଆବଶ୍ୟକତା ପଡ଼ିବ । ଆପଣ ସମସ୍ତଙ୍କ ପାଖରେ ପ୍ରଚୁର ସୁଯୋଗ ରହିବ, ତେଣୁ ଭାରତରେ ରୁହନ୍ତୁ, ଭାରତକୁ ସମର୍ଥନ କରନ୍ତୁ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଦେଖନ୍ତୁ ।”
ଶିକ୍ଷାଗତ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ, ପ୍ରତିଷ୍ଠାନ ୨୦୨୫ ବର୍ଷର ସ୍ନାତକ ବ୍ୟାଚର ବ୍ରାଞ୍ଚ ଟପରମାନଙ୍କୁ ୦୯ଟି ପ୍ରତିଷ୍ଠାନ ସ୍ୱର୍ଣ୍ଣ ପଦକ, ୦୭ଟି ଏଣ୍ଡାଉମେଣ୍ଟ ସ୍ୱର୍ଣ୍ଣ ପଦକ, ୦୯ଟି ଏଣ୍ଡାଉମେଣ୍ଟ ପୁରସ୍କାର ଏବଂ ୫୮ଟି ରୌପ୍ୟ ପଦକ (ବ୍ରାଞ୍ଚ ଟପର୍) ପ୍ରଦାନ କରିଛି ।
ତାଙ୍କ ଅଭିଭାଷଣ ସମୟରେ, ଏନ୍ଆଇଟି ରାଉରକେଲାର ବୋର୍ଡ଼ ଅଫ୍ ଗଭର୍ଣ୍ଣରସ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍. ଏନ୍. ସୁବ୍ରମଣ୍ୟମ କହିଥିଲେ, "ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରତିଷ୍ଠାନ ଏନ୍ଆଇଆର୍ଏଫ୍ ୨୦୨୫ ତାଲିକାରେ ୧୩ତମ ସ୍ଥାନରେ ରହିଛି । ପ୍ରଫେସର ରାଓ ଏବଂ ତାଙ୍କ ସମଗ୍ର ଦଳକୁ ଧନ୍ୟବାଦ । ଏହି ପ୍ରତିଯୋଗିତାମୂଳକ ଦୁନିଆରେ, ଆଇଆଇଟି ସମେତ ଉଭୟ ସରକାରୀ ଓ ବେସରକାରୀ ଶ୍ରେଷ୍ଠ ପ୍ରତିଷ୍ଠାନ ସହିତ ପ୍ରତିଯୋଗିତା କରି ୧୩ତମ ସ୍ଥାନରେ ରହିବା ଏତେ ସହଜ ନୁହେଁ । ଏହା ଦେଖି ଖୁସି ଲାଗିଲା ଯେ କିଛି ବର୍ଗରେ ଏନ୍ଆଇଟିଆର୍ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି ଏବଂ ଏଥିରେ ସ୍ଥାୟୀତ୍ୱ ଅନ୍ତର୍ଭୁକ୍ତ ଯାହା ଅନନ୍ୟ ଏବଂ ପ୍ରସଂଶା ଯୋଗ୍ୟ । ମୁଁ ପ୍ରଫେସର ରାଓଙ୍କଠାରୁ ଶୁଣିଲି ଯେ ଆପଣଙ୍କ ମଧ୍ୟରୁ ୯୦% ଚାକିରୀ ପାଇସାରିଛନ୍ତି । ଏହା ଏକ ଚମତ୍କାର ତଥା ପ୍ରସଂଶାର ବିଷୟ । ଏହା ଦର୍ଶାଉଛି ଯେ ଅର୍ଥନୀତି ଭଲ କରୁଛି, ପ୍ରଚୁର ଚାକିରୀ ଉପଲବ୍ଧ ଅଛି ଏବଂ କମ୍ପାନୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଉଛି ।"
ଗ୍ରାଜୁଏଟିଂ କ୍ଲାସ୍କୁ ସମ୍ବୋଧିତ କରି ସେ ଆହୁରି କହିଥିଲେ, "ସମାବର୍ତ୍ତନ ସମାରୋହ କେବଳ ଡିଗ୍ରୀ ଗ୍ରହଣ କରିବା ବିଷୟରେ ନୁହେଁ, ଏହା ଆପଣ ଯେଉଁ ପଥକୁ ଅନୁସରଣ କରୁଛନ୍ତି, ତା'କୁ ସମ୍ମାନ ଦେବା ପାଇଁ ମଧ୍ୟ ଆବଶ୍ୟକ । ଏହା ଛାତ୍ରଛାତ୍ରୀ ଭାବରେ ଆପଣ ଯେଉଁ ଆହ୍ୱାନଗୁଡ଼ିକୁ ପଛେଇ ପକାଇଛନ୍ତି ଏବଂ ଆପଣ ଯେଉଁ ଭବିଷ୍ୟତ ଗଠନ କରନ୍ତି ତାହାକୁ ସ୍ୱାଗତ କରିବା ପାଇଁ । ଏନ୍ଆଇଟି ରାଉରକେଲାର ଉତ୍ସାହକୁ ସାଙ୍ଗରେ ନେଇ ଚାଲନ୍ତୁ ଏବଂ ନମ୍ରତାର ସହ ଦୁନିଆରେ ଆଗକୁ ବଢ଼ନ୍ତୁ । ବାସ୍ତବବାଦୀ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଭବିଷ୍ୟତର ପୂର୍ବାନୁମାନ କରିବାର ସର୍ବୋତ୍ତମ ଉପାୟ ହେଉଛି ଏହାକୁ ନିଜେ ଗଢ଼ିବା, ତେଣୁ ଉଦ୍ଦେଶ୍ୟମୂଳକ ଭାବରେ ଏହାକୁ ଗଠନ କରନ୍ତୁ ଏବଂ ନିଜକୁ ତଥା ଏନ୍ଆଇଟି ରାଉରକେଲା ଉଭୟଙ୍କୁ ଗର୍ବିତ କରନ୍ତୁ ।"
ଏହି ବର୍ଷର ସମାବର୍ତ୍ତନ ସମାରୋହର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମରୁ ୮୧ ଜଣ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୬୩ ଜଣ ଛାତ୍ର ଏବଂ ୧୮ ଜଣ ଛାତ୍ରୀ ଅଛନ୍ତି । ଏଥିରେ ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଓ ସୁଦାନରୁ ଜଣେ ଲେଖାଏଁ, ବାଂଲାଦେଶରୁ ୨୦ ଜଣ, ଭୁଟାନରୁ ୩ ଜଣ, ନେପାଳରୁ ୩୨ ଜଣ ଏବଂ ଆମେରିକାରୁ ଚାରି ଜଣଙ୍କ ସମେତ ଭାରତର ୧୯ ଜଣ ଅଣ-ଆବାସୀ ଭାରତୀୟ (ଏନ୍ଆର୍ଆଇ) ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ ।
ଗ୍ରାଜୁଏଟିଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, "ଆଜି ଆମେ ଆମର ଗ୍ରାଜୁଏଟିଂ କ୍ଲାସର ସଫଳତାକୁ ପାଳନ କରିବା ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ । ଏନ୍ଆଇଟି ରାଉରକେଲାରେ ଆପଣଙ୍କ ସମୟ ଆପଣଙ୍କୁ କେବଳ ଜ୍ଞାନ ଓ ବୈଷୟିକ ବିଶେଷଜ୍ଞତାରେ ସଜେଇ ନାହିଁ ବରଂ ଆପଣଙ୍କୁ ମୂଲ୍ୟବାନ ଜୀବନ ଶିକ୍ଷା ମଧ୍ୟ ଦେଇଛି, ଆଗାମୀ ଆହ୍ୱାନ ପାଇଁ ପ୍ରସ୍ତୁତ କରିଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଖରେ ଅନନ୍ୟ ଗୁଣ ଅଛି ଏବଂ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବା ସହିତ ନୂଆ ଜିନିଷ ଶିଖିବା ଓ ଅଭିବୃଦ୍ଧି କରିବା ସହିତ ଦୃଢ଼, ସ୍ଥିର, କେନ୍ଦ୍ରିତ ତଥା ଶୃଙ୍ଖଳିତ ରୁହନ୍ତୁ ।”
ପ୍ରଫେସର ରାଓ ଆହୁରି କହିଛନ୍ତି, "ଏନ୍ଆଇଟି ରାଉରକେଲା ଏନ୍ଆଇଆର୍ଏଫ୍ ୨୦୨୫ ଇଞ୍ଜିନିୟରିଂ ର୍ୟାଙ୍କିଂରେ ଗତ ବର୍ଷର ୧୯ତମ ସ୍ଥାନରୁ ଏଥର ୧୩ତମ ସ୍ଥାନକୁ ଉଠିଛି; ଆମର ଅଧ୍ୟାପକ, ଗବେଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସାମୂହିକ ସମର୍ପଣ ମାଧ୍ୟମରେ ଏହା ଏକ ଅସାଧାରଣ ପ୍ରଗତି ଅଟେ । ଆମେ ସ୍ଥାପତ୍ୟ ଓ ଯୋଜନା ବର୍ଗରେ ଆମର ନିରନ୍ତର ଉତ୍କର୍ଷତା ପାଇଁ ସମାନ ଭାବରେ ଆନନ୍ଦିତ, ଯେଉଁଠାରେ ଆମେ ଜାତୀୟ ସ୍ତରରେ ୭ମ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜି) ବର୍ଗରେ ୯ମ ସ୍ଥାନ ପାଇଛୁ ।“
୧୨ଟି ବିଭାଗରେ ୧୫ଟି ବିଷୟରେ ବ୍ୟାଚଲର୍ ଅଫ୍ ଟେକ୍ନୋଲୋଜି ଡିଗ୍ରୀ, ଯୋଜନା ଓ ସ୍ଥାପତ୍ୟ ବିଭାଗ ଦ୍ୱାରା ବ୍ୟାଚଲର୍ ଅଫ୍ ଆର୍କିଟେକ୍ଚର; ଏମ୍ବିଏ; ୧୩ଟି ବିଭାଗ ଅଧୀନରେ ୩୧ଟି ବିଶେଷଜ୍ଞତାରେ ଏମ୍ଟେକ୍ ଡିଗ୍ରୀ, ୪ଟି ବିଭାଗରେ ୪ଟି କ୍ଷେତ୍ରରେ ଏମ୍ଟେକ୍ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମ୍, ବିଭିନ୍ନ ବିଜ୍ଞାନ ଓ କଳା ଷ୍ଟ୍ରିମ୍ରେ ଇଣ୍ଟିଗ୍ରେଟେଡ୍ ମାଷ୍ଟର ପ୍ରୋଗ୍ରାମ୍ ସହିତ, ଏନ୍ଆଇଟି ରାଉରକେଲାର ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ଦୀର୍ଘକାଳୀନ ଅବଦାନ ଦେଇଆସିଛି ।
ଏଥର, ଏନ୍ଆଇଟି ରାଉରକେଲା ୨୦୨୪-୨୦୨୫
ସମାବର୍ତ୍ତନ ସମାରୋହକୁ ସେପ୍ଟେମ୍ବର ୨୦୨୫ରେ ଆଗୁଆ ଆୟୋଜନ କରିଛି ଏବଂ ଏହାର ଲକ୍ଷ୍ୟ ହେଉଛି ଗ୍ରାଜୁଏଟିଂ
ଛାତ୍ରଛାତ୍ରୀମାନଙ୍କୁ,
ବିଶେଷକରି ଆନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କୁ, ସେମାନଙ୍କର ଅସଲି ଡିଗ୍ରୀର
ସମୟାନୁସାରେ ସଂଗ୍ରହକୁ ସହଜ କରି ସମର୍ଥନ କରିବା । ଏହା ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଉଚ୍ଚଶିକ୍ଷା
ଗ୍ରହଣ କରିବା କିମ୍ବା ସେମାନଙ୍କର ପ୍ରଥମ ଚାକିରୀ ଆରମ୍ଭ କରିବା ସମୟରେ ଅସ୍ଥାୟୀ ଏବଂ ଅସଲି ପ୍ରମାଣପତ୍ର
ସହିତ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବ ।
୨୩ତମ ସମାବର୍ତ୍ତନ ସମାରୋହର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ଏନ୍ଆଇଟି ରାଉରକେଲାର ୪ ଜଣ ପୂର୍ବତନ ଛାତ୍ରଙ୍କୁ ବିଶିଷ୍ଟ ପ୍ରାକ୍ତନ ଛାତ୍ର ପୁରସ୍କାର ପ୍ରଦାନ । ଏଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ -
- ଶିକ୍ଷା ଓ ଗବେଷଣା - ପ୍ରଫେସର ଅରବିନ୍ଦ ରାଉତରାୟ, ପ୍ରଫେସର ଆଣ୍ଡ୍ ଡିନ୍ ଇନ୍ଫ୍ରାଷ୍ଟକ୍ଚର - ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ପ୍ୟୁଟିଂ, ଆଇଆଇଟି ଖଡ଼ଗପୁର
- ଶିଳ୍ପ ଓ ପରିଚାଳନା - ଶ୍ରୀଯୁକ୍ତ ରଞ୍ଜନ ନାୟକ, ସିଇଓ, ଜେଏସ୍ଡବ୍ଲ୍ୟୁ ମୋଟର୍ସ
- ଉଦ୍ୟୋଗ ଓ ସାର୍ବଜନୀନ ଜୀବନ - ଶ୍ରୀଯୁକ୍ତ ସୁବ୍ରତ ପାଣି, ସହ-ପ୍ରତିଷ୍ଠାତା ଓ ସିଇଓ, ୱାନ୍ଆସିଷ୍ଟ
- ପ୍ରତିଷ୍ଠାନର ଅଭିବୃଦ୍ଧିରେ ଅବଦାନ - ଡକ୍ଟର ବୀରେନ୍ଦ୍ର ଜେନା, ପୂର୍ବତନ ପ୍ରମୁଖ ଇଞ୍ଜିନିୟର, ଆର୍ଟିଆଇ ଇଣ୍ଟରନ୍ୟାସନାଲ୍ ମେଟାଲସ୍, ଓହିଓ, ଆମେରିକା


.png)
