ରାଜ୍ୟ କ୍ୟାବିନେଟର ବୈଠକରେ ୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 11 July 2024

ରାଜ୍ୟ କ୍ୟାବିନେଟର ବୈଠକରେ ୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

5 Important Decession by Odisha State Cabinet

ଭୁବନେଶ୍ୱର (୧୦ ଜୁଲାଇ ୨୦୨୪): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି । ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ଏହି ନିଷ୍ପତ୍ତି ଗୁଡିକ ହେଲା:

୧- ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି । ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ- ୩୫୨ ଟଙ୍କା,  ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଯଥାକ୍ରମେ- ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । 


୨- ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ୨୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି (Corpus Fund) ଗଠନ କରିବା ପାଇଁ ନିଷ୍ପତ୍ତି  ଗ୍ରହଣ କରିଛି । ଏହି ପାଣ୍ଠିରେ ଓଡ଼ିଆ ଅସ୍ମିତା ଭବନ ଗଠନ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ, କଳାକାରମାନଙ୍କୁ ପ୍ରୋତ୍ସାହନ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର୍ ପ୍ରତିଷ୍ଠା, ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।


୩- ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ୧୮,୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଧାରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।


୪- ରାଜ୍ୟର ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରିବା ଏବଂ ପୁରୁଣା ସଚଳ ପ୍ରକଳ୍ପକୁ ସୁଦୃଢ଼ୀକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ୨୦୬୫ଟି ଅଚଳ ପ୍ରକଳ୍ପକୁ ସଚଳ କରାଯାଇ ୫୯,୨୯୨ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚିତ କରାଯିବ । ଏହା ସହିତ ୧୦,୧୫୨ଟି ପୁରୁଣା ସଚଳ ପ୍ରକଳ୍ପର ଦୃଢ଼ୀକରଣ କରାଯାଇ ୨,୨୬,୮୮୬ ହେକ୍ଟର ପରିମିତ ସେଚାଞ୍ଚଳ ଚାଷ ଜମିରେ ଜଳସେଚନର କ୍ଷମତା ବୃଦ୍ଧି କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ୧୦୮୪.୩୮ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


୫- ସେହିପରି ରାଜ୍ୟର ସମସ୍ତ ଯୋଗ୍ୟ କୃଷକ ପରିବାରକୁ ପି.ଏମ୍. କିଷାନ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ଅବଲମ୍ବନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Post Bottom Ad