ଭୁବନେଶ୍ୱର (୬ ଫେବୃଆରୀ ୨୦୨୩): ଗତ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରର ଜନତା ମଇଦାନ ଠାରେ ଅନୁଷ୍ଠିତ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'ରେ ଓଡ଼ିଆ ତଥା ଓଡ଼ିଶାର ଇତିହାସ ଓ ବିବର୍ତ୍ତନ ଉପରେ ଅନେକ ଗୁଡ଼ିଏ ତଥ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରୁ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା 'ଫ୍ୟୁଚର୍ ଡୋମ୍'ରେ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ପ୍ରଦର୍ଶିତ ଭିଆର୍, ଓଡ଼ିଆ ଫଣ୍ଟ, ଆନିମେସନ୍ ଦ୍ୱାରା ପିଲାଙ୍କୁ ପାଠପଢ଼ା ଏବଂ ଓଡ଼ିଆ ଉଇକିପିଡ଼ିଆ ବାବଦରେ ସଚେତନତା ଶିବିର ।
୨୦୦୧ ମସିହାରୁ ଇଂରାଜୀର ଉଇକିପିଡ଼ିଆ ଆରମ୍ଭ ହୋଇଥିବା ବେଳେ ୨୦୦୨ ମସିହାରୁ ପ୍ରଥମ ଦକ୍ଷିଣ ଏସୀୟ ଭାଷା ଭାବରେ ଓଡ଼ିଆ ଉଇକିପିଡ଼ିଆ ଉପଲବ୍ଧ ହୋଇଆସୁଛି, ଯେଉଁଥିରେ ୨୦୧୧ ମସିହାରୁ ସେଚ୍ଛାସେବୀମାନେ ନିୟମିତ ଭାବରେ ଅବଦାନ କରି ଆସୁଛନ୍ତି ଏବଂ ସ୍ଥାନିତ ହୋଇଛି ଓଡ଼ିଶାର ଇତିହାସ, ରାଜନୀତି, କଳା, ସଂସ୍କୃତି, ରାନ୍ଧଣା, ବଡ଼ଲୋକଙ୍କ ଜୀବନୀ ଏବଂ ଅନେକ ପ୍ରସଙ୍ଗ । ପୂର୍ବରୁ ଓଡ଼ିଶା ସରକାର ଓ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍ର ମିଳିତ ଉଦ୍ୟମରେ ଓଡ଼ିଶା ସରକାରଙ୍କ ଅନେକ ୱେବ୍ସାଇଟ୍ ତଥା ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲ୍ଗୁଡ଼ିକ ପବ୍ଲିକ୍ ଡୋମେନ୍ରେ ଉପଲବ୍ଧ ହେଉଅଛି, ଯାହାକି ଭାରତ ତଥା ଭାରତ ବାହାରେ ଅନେକ ସ୍ଥାନରେ କାର୍ଯ୍ୟରେ ଲାଗିପାରୁଛି ।
ଏହି ସମ୍ମିଳନୀରେ ଖୋଲା ଜ୍ଞାନ ବିଷୟରେ ଲୋକମାନଙ୍କୁ ଅଗବତ କରାଇବା ପାଇଁ ଉଇକିପିଡ଼ିଆର ସ୍ୱେଚ୍ଛାସେବୀମାନେ ପ୍ରଦର୍ଶନ ସ୍ଥାନ ନିକଟରେ ରହି ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିମିଡ଼ିଆ କମନ୍ସ ଓ ଉଇକି ଅଭିଧାନ ବାବଦରେ ଲୋକମାନଙ୍କୁ ସୂଚନା ଦେବା ସହିତ କେମିତି ଉଇକିପିଡ଼ିଆରେ ନିଜେ ସମ୍ପାଦନା କରିପାରିବେ, ସେ ବିଷୟରେ ଶିଖାଇଥିଲେ । ସ୍କୁଲ ପିଲା ତଥା ଇଚ୍ଛୁକ ଲୋକମାନେ ଉଇକିପିଡ଼ିଆର ବଦାନ୍ୟତା ବିଷୟରେ ବୁଝିବା ସହିତ ଇଉଜର ଗ୍ରୁପ୍ ତରଫରୁ ପ୍ରଦାନ କରାଯାଉଥିବା ଶିକ୍ଷଣ ପତ୍ରିକା ଗ୍ରହଣ କରିଥିଲେ ।
ଏଥିସହିତ ଉଇକିପିଡ଼ିଆ ସମ୍ବନ୍ଧରେ ଏକ ସର୍ବେକ୍ଷଣ ଫର୍ମ ମଧ୍ୟ ପୂରଣ କରାଯାଇଥିଲା, ଯାହାକୁ ଆସୁଥିବା କିଛି ଦର୍ଶକଙ୍କ ସମେତ କୃଷି ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ପୂରଣ କରିଥିଲେ । ଶ୍ରୀଯୁକ୍ତ ପାଢ଼ୀ ଓ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଇକିପିଡ଼ିଆର ଷ୍ଟଲ୍ ବୁଲିବା ସହିତ ସ୍ୱଚ୍ଛାସେବୀମାନଙ୍କର ଉଦ୍ୟମକୁ ପ୍ରସଂଶା କରିଥିଲେ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ସଚିବ ମନୋଜ ମିଶ୍ର, ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ଆଦି ଷ୍ଟଲ୍ ବୁଲି ଉଇକିପିଡ଼ିଆର ଉଦ୍ୟମକୁ ପ୍ରଶଂସା କରିଥିଲେ ।
ପ୍ରଦର୍ଶନୀରେ ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ମୃତ୍ୟୁଞ୍ଜୟ କର, ଜ୍ଞାନ ରଞ୍ଜନ ସାହୁ ଏବଂ ଚିନ୍ମୟୀ ମିଶ୍ର, ଶୈଳେଶ ପଟ୍ଟନାୟକ, ସଂଗ୍ରାମ କେଶରୀ ସେନାପତି ଆଦି ଉଇକିଆଳିମାନେ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହା ବ୍ୟତୀତ ଚମ୍ପକେଶ୍ୱର ମହାନ୍ତ, ସୁରଥ କୁମାର ପାଢ଼ୀ, ଜଗନ୍ନାଥ ପାଣିଗ୍ରାହୀ, ବିନାୟକ ମିଶ୍ର, ପଲ୍ଲବୀ ହୋତା ଆଦି ପୁରୁଣା ଉଇକିଆଳିମାନେ କିଛି ସମୟ ପାଇଁ ଉପସ୍ଥିତ ଥିଲେ ।
ପରିଚାଳକ ମୃତ୍ୟୁଞ୍ଜୟ କର କହିଥିଲେ, "ଉଇକିପିଡ଼ିଆ ହେଉଛି ଏକ ଖୋଲା ଜ୍ଞାନକୋଷ, ଯାହାକି ସମସ୍ତଙ୍କୁ ମୁକ୍ତ ଭାବରେ ଜ୍ଞାନ ଆହରଣର ସୁଯୋଗ ଦେବା ସହିତ ତଥ୍ୟଭିତ୍ତିକ ନିର୍ଭୁଲ ସୂଚନା ପ୍ରଦାନ କରିଥାଏ । ମାତ୍ର, କେଇଜଣ ହାତ ଗଣତି ସେଚ୍ଛାସେବୀଙ୍କ ଦ୍ୱାରା ଓଡ଼ିଆ ଉଇକିପିଡ଼ିଆ ଆଜିଯାଏଁ ଚାଲିଆସିଛି । ଏହାକୁ ଇଂରାଜୀ ଉଇକିପିଡ଼ିଆ ଭଳି ସମୃଦ୍ଧ କରିବାକୁ ହେଲେ ଆମମାନଙ୍କୁ ହିଁ କିଛି କିଛି ଅବଦାନ କରିବାକୁ ପଡ଼ିବ । ଫାଙ୍କା ସମୟରେ ସମସ୍ତେ ଟିକେ ଟିକେ ଅବଦାନ କରିବାକୁ ଅନୁରୋଧ ।"
ସେହିଭଳି ଉଇକିଆଳି ତଥା ଶୁଭପଲ୍ଲବ ପତ୍ରିକା ପ୍ରତିଷ୍ଠାତା/ସମ୍ପାଦକ ଯୋଡ଼ିଥିଲେ, "ଏବେ ସବୁକିଛି ଡିଜିଟାଲ୍କୁ ଆସିସାରିଛି, ତେଣୁ ଆମର ତଥ୍ୟ ମଧ୍ୟ ହଜିଯିବା ଆଗରୁ ଡିଜିଟାଲ୍କୁ ଆସିବା ଆବଶ୍ୟକ । ଉଇକିପିଡ଼ିଆରେ ଯେମିତି ସମସ୍ତଙ୍କ ପାଇଁ ଖୋଲା ଭାବରେ ତଥ୍ୟ ଉପଲବ୍ଧ, ଉଇକିପାଠାଗାରରେ ମଧ୍ୟ 'ଛ ମାଣ ଆଠ ଗୁଣ୍ଠ', 'ଓଡ଼ିଆ ଭାଗବତ', 'ଶ୍ରୀମଦ ଭାଗବତ ଗୀତା', 'ଓଡ଼ିଶା ଇତିହାସ', 'ଓଡ଼ିଆ ରାଜନୀତିର ଇତିହାସ' ଆଦି ଉପଲବ୍ଧ । ପାଠକମାନେ ଏଇଠୁ ମାଗଣାରେ ବହି ପଢ଼ିପାରିବା ସହିତ ଲେଖକମାନେ ନିଜର ବହି ଦାନ କରିପାରିବେ ।"
'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲେ ମଧ୍ୟ ଏହାର ପ୍ରଦର୍ଶନୀକୁ ଆଉ ତିନିଦିନ ବୃଦ୍ଧି କରାଯାଇଛି, ଯେଉଁଠି ଓଡ଼ିଆ ଉଇକିପିଡ଼ିଆର ଷ୍ଟଲ୍ ମଧ୍ୟ ଉପଲବ୍ଧ ରହିବ ଏବଂ ଦର୍ଶକମାନଙ୍କୁ ସଚେତନ କରାଇବ ।