ବ୍ୟୁରୋ (୧୮ ଅପ୍ରେଲ ୨୦୨୦): ଓଡ଼ିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ରତ୍ନାକର ଚଇନିଙ୍କ ପରଲୋକ । ୭୪ ବର୍ଷ ବୟସରେ ସେ କଟକ ବାଦାମବାଡ଼ି ସ୍ଥିତ ନିଜସ୍ୱ ବାସଭବନରେ ଦେହତ୍ୟାଗ କରିଛନ୍ତି । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ ।
ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାଁ ରତ୍ନାକର ଚଇନି ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ୧୯୭୭ ମସିହାରେ ତାଙ୍କ ରଚିତ ପୁସ୍ତକ କଳଙ୍କିତ ସୂର୍ଯ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ସହିତ ଭିନ୍ନ ଭିନ୍ନ ସମୟରେ ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।