କୋଲକାତା: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନି ବ୍ରିଟାନିଆ ଆଗାମୀ ଦିନରେ ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି ଯୋଜନା ରଖିଛି । କମ୍ପାନି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଏହାର ଉତ୍ପାଦଗୁଡ଼ିକର ମୂଲ୍ୟରେ ସାମାନ୍ୟ ବୃଦ୍ଧି ବିଷୟ ଯୋଜନା କରୁଛି ।
ମାନ୍ଦାବସ୍ଥା ଯୋଗୁଁ କମ୍ପାନିର ବିକ୍ରି ହ୍ରାସ ଘଟିଛି । ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ କମ୍ପାନି ଏଭଳି ଯୋଜନା ରଖିଛି ବୋଲି ବ୍ରିଟାନିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାନ୍ଦାବସ୍ଥା ଗତ ୫ରୁ ୬ ମାସ ହେଲା ଦେଖାଦେଇଛି । ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ମଧ୍ୟ ପରିସ୍ଥିତି ଭଲ ନାହିଁ । ତେଣୁ ତୃତୀୟ ତ୍ରୟମାସରେ ଉତ୍ପାଦ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯିବ ବୋଲି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ର ମାର୍କେଟିଂ ମୁଖ୍ୟ ବିନୟ ସୁବ୍ରମଣ୍ୟମ୍ କହିଛନ୍ତି । ମାନ୍ଦାବସ୍ଥା ଯୋଗୁଁ କମ୍ପାନିର ବିକ୍ରି ଅଭିବୃଦ୍ଧି ଅଧାଅଧି କମିଯାଇଛି ବୋଲି ସେ କହିଛନ୍ତି । ଖର୍ଚ୍ଚ ହ୍ରାସ ଦୃଷ୍ଟିରୁ କମ୍ପାନିକୁ ଅଧିକ ଦକ୍ଷ ହେବାକୁ ହେବ । ମାଲ ପରିବହନ ବାବଦ ଖର୍ଚ୍ଚକାଟ କରିବାକୁ ପଡ଼ିବ । ମାନ୍ଦାବସ୍ଥା ସତ୍ତ୍ବେ, କମ୍ପାନି ବଜାରଅଂଶ ବଢ଼ାଇ ଚାଲିଛି ଏବଂ ଆଗାମୀ ଦିନରେ ପ୍ରମୁଖ ବ୍ରାଣ୍ଡ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି ।