ବ୍ୟୁରୋ (୨୨ ଜୁଲାଇ ୨୦୧୯): ଶ୍ରାବଣ ମାସ ସୋମବାରରେ ଶିବଙ୍କ ଉପରେ ଜଳ ଢାଳିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତ ଜନରେ ବିଶ୍ୱାସ ରହିଛି । ତେଣୁ ଏହି ମାସର ପ୍ରତ୍ୟେକ ସୋମବାର ଶୈବପୀଠମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥାଏ । ଆଜି ଶ୍ରାବଣର ପ୍ରଥମ ସୋମବାରରେ ଲକ୍ଷାଧିକ ଭକ୍ତ ବିଭିନ୍ନ ଶିବ ମନ୍ଦିର ଯାଇ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି । ପ୍ରାୟତଃ ନଦୀ କୂଳ ଘାଟମାନଙ୍କରେ ବାଲୁକା ପୂଜା କରିବା ପରେ ସେଠାରୁ ପୂର୍ଣ୍ଣକଳସୀ ଜଳ ନେଇ ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥାନ୍ତି ଏବଂ ନିର୍ଦ୍ଧାରିତ ଶିବ ମନ୍ଦିରେ ପାଣି ଢାଳନ୍ତି ।
ଆଜି ଭୁବନେଶ୍ବରର ଲିଙ୍ଗରାଜ, ଶରଣକୁଳ ଲଡ଼ୁବାବା, ରାଉତପଡ଼ା ଶିବମନ୍ଦିର, ଚମ୍ପେଶ୍ବର ଚମ୍ପାନାଥ, ଢେଙ୍କାନାଳ କପିଳାସ, ଭଦ୍ରକର ଆରଡ଼ି ଆଦି ଶୈବପୀଠରେ ବୋଲବମ୍ ଭକ୍ତମାନେ ପାଣି ଢାଳିଛନ୍ତି । ତେବେ ମହାନଦୀ କୂଳରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କର ସଂଖ୍ୟାକୁ ନଜରକୁ ଦେଖିଲେ ମହାନଦୀ କୂଳ ଘାଟ ସବୁରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଗତମାସରେ ମହାନଦୀ କୂଳ ଘାଟରେ ଝିଅକୁ ବଞ୍ଚାଇବାକୁ ଯାଇ ଜଣେ ବାପା ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଥିଲେ । ପ୍ରଶାସନ ଅଘଟଣ ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି ।